ଜୟପୁର: ମାଲକାନଗିରି ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ। ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଅପରେସନରେ କିଛି କ୍ୟାଡର ମାଓବାଦୀ ଅଳ୍ପକେ ଖସିଯାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯବାନଙ୍କ ଗୁଳିର ସାମ୍ନା କରିନପାରି ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେବା ସହ ଘଂଚ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ଯବାନମାନଙ୍କ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ବେଳେ ଗ୍ରେନେଡ୍ ଓ ଅନ୍ୟାନ୍ୟ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାଇ ମୀନା। ଗତ କିଛି ଦିନ ତଳେ ଏହି ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା।