ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ । ୧୦୦ ଟଙ୍କାକୁ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର । ସାଧାରଣ ଲୋକ ପାଇଁ ମୋଟର ଯାନ ଚଳାଇବା ଅସମ୍ଭବ ହେବାକୁ ବସିଲାଣି । ଏପରି ସମୟରେ ଆସିଛି ଏକ ଖୁସି ଖବର । ଆଇଆଇଟି, ଦିଲ୍ଲୀର ବୈଜ୍ଞାନିକ ପେଟ୍ରୋଲକୁ ନେଇ ଚିନ୍ତା କମାଇବାକୁ ଜଳରୁ ଇନ୍ଧନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି । ଯାହା ଭାରତୀୟଙ୍କୁ ଆଶ୍ୱସ୍ତି ଆଣିଦେବ ।
ଦିଲ୍ଲୀ ଆଇଆଇଟି ବୈଜ୍ଞାନିକମାନେ ଜଳରୁ ସ୍ୱଳ୍ପ ମୂଲ୍ୟରେ ସ୍ବଚ୍ଛ ଉଦ୍ଜାନ ଇନ୍ଧନ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଥିବା ଦାବି କରିଛନ୍ତି । ଓଏନଜିସି ଏନର୍ଜି ସେଣ୍ଟର ସହାୟତାରେ ଏହି ପ୍ରକ୍ରିୟାକରଣରେ ସେମାନେ ସଲଫର-ଆୟୋଡିନ୍ ଥର୍ମୋକେମିକାଲ୍ ହାଇଡ୍ରୋଜେନ୍ ସାଇକେଲ୍ ପ୍ରକ୍ରିୟାର ବ୍ୟବହାର କରିଛନ୍ତି।
ଜଳ ଉଦଜାନକୁ ଇନ୍ଧନ ରୂପରେ ପାଇବା ପାଇଁ କରାଯାଇଥିବା ପ୍ରକ୍ରିୟାରେ ଅମ୍ଳଜାନ ମିଳିବା ପରେ ବ୍ୟବସାୟିକ ବ୍ୟବହାର ପାଇଁ ବଡ଼ ପରିମାଣରେ ଇନ୍ଧନ ସୃଷ୍ଟି କରିହେବ ବୋଲି ଆଶା କରିଛନ୍ତି ବୈଜ୍ଞାନିକ। ତେବେ ଏହି ସମସ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ କାଟାଲିଷ୍ଟକୁ ବି ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି। ଏହାର ପେଣ୍ଟେଣ୍ଟ କରାଯାଇଛି। ଏହି ପ୍ରକ୍ରିୟାରୁ ମିଳିବାକୁ ଥିବା ଇନ୍ଧନ ଖୁବ ଶସ୍ତା ହେବ ବୋଲି କୁହାଯାଉଛି।