କୃଷି ଆଇନ ପ୍ରସଙ୍ଗକୁ ନେଇ ବିଜ୍ଞାନ ଭବନ ଆଗରେ ପହଞ୍ଚିଲେ କୃଷକ ପ୍ରତିନିଧି

ନୂଆଦିଲ୍ଲୀ – ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନକୁ ସମର୍ଥନ କରିବା ସହ ଏହା କୃଷକଙ୍କ ହିତ ସାଧନ କରିବ ବୋଲି କହିଥିଲେ । ବିରୋଧୀ ଦଳମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ କୃଷକମାନଙ୍କୁ ଟେକୁଛନ୍ତି ବୋଲି ମୋଦୀ କହିଥିଲେ । ତେବେ ଆଜି କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ବୈଠକରେ ଯୋଗ ଦେବାକୁ ଆନ୍ଦୋଳନରତ କୃଷକମାନଙ୍କର ଏକ ୩୫ ଜଣିଆ ପ୍ରତିନିଧିମଣ୍ଡଳ ସିଙ୍ଗୁ ସୀମା ଦେଇ ଦିଲ୍ଲୀ ଯାଉଛନ୍ତି ।