(ରିପୋଟରସ୍ ଡ଼ୁଟେ): ଆହ୍ଲାବାଦ ନୁହେଁ ପ୍ରୟାଗରାଜ । ୪୪୪ ବର୍ଷ ପରେ ଆହ୍ଲାବାଦ ପୁଣି ଥରେ ତାର ପୁରୁଣା ନାମରେ ନାମିତ ହେଲା । ଫେରି ପାଇଲା ତାର ପୁରୁଣା ପରିଚୟ । ବଦଳିଲା ଉତ୍ତରପ୍ରଦେଶର ସହରର ଆହ୍ଲାବାଦର ନାମ । ଏହାକୁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଛି । ପୌରାଣିକ ଶାସ୍ତ୍ରରେ ଏହି ସ୍ଥାନର ବେଶ୍ ଗୁରୁତ୍ୱ ରହିଛି । । ସେଇ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି।
ସୂଚନା ମୁତାବକ ଆହ୍ଲାବାଦ ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ଅଟେ । ତେଣୁକରି ଏହା ସବୁ ପ୍ରୟାଗର ରାଜ । ସେହି ଦୃଷ୍ଟିକୋଣରୁ ଆହ୍ଲାବାଦ୍ରର ନାମ ପ୍ରୟାଗରାଜ ଦିଆଯିବା କଥା ଗତ କିଛି ଦିନତଳେ ଯୋଗୀ ଆଦିତ୍ୟନାଥ କହିଥିଲେ । ଏହାର କିଛି ଦିନ ପୂର୍ବରୁ ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ । ଆଜି ଉତ୍ତରପ୍ରଦେଶରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଯୋଗୀଙ୍କର ଏହି ନିଷ୍ପତ୍ତି ସଂପର୍କରେ ଜାଣିବା ପରେ ଜଷ୍ଟିସ୍ ମାର୍କଣ୍ଡେୟ କାଟ୍ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଉତ୍ତର ପ୍ରଦେଶର ଅନ୍ୟ କେତେକ ସହରର ନାମ ବଦଳା ଯାଇପାରିବ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି। କାଟ୍ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆହୁରି ୧୮ଟି ସହରର ନାମ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି।
ପ୍ରକୃତରେ ପୁରାଣରେ ଆହ୍ଲାବାଦର ନାମ ପ୍ରୟାଗରାଜ ହିଁ ଥିଲା। କିନ୍ତୁ ମୋଗଲ ଶାସକ ଆକବର ଏହାକୁ ବଦଳାଇ ଆହ୍ଲାବାଦ କରିଦେଇଥିଲେ। ଐତିହାସିକଙ୍କ ମତରେ ଆକବରନାମା ଏବଂ ଆଇନ୍-ଇ-ଆକବରୀ ତଥା ସେ ସମୟର ଅନ୍ୟ ମୁଗଲକାଲୀନ ବହି ଗୁଡ଼ିକୁ ପ୍ରଚାର ପ୍ରାସାର କରିବା ଉଦ୍ଦେଶ୍ୟରେ ଏହି ସହରର ନାମ ପରିବର୍ତ୍ତନ କରାଯାଇଥିଲା । ୧୫୪୭ରେ ପ୍ରୟାଗରାଜ୍ ନାମକୁ ପରିବର୍ତ୍ତନ କରି ନୂଆ ସହର ପ୍ରତିଷ୍ଠା କରାଯାଇଥିଲା । ଯାହାର ନାମ ରଖାଯାଇଥିଲା ଆହ୍ଲାବାଦ। ପୁରାଣର ରାମଚରିତ ମାନସରେ ଆହ୍ଲାବାଦକୁ ପ୍ରୟାଗରାଜ ହିଁ କୁହାଯାଏ। ୩ଟି ନଦୀର ସଙ୍ଗମସ୍ଥଳରୁ ଜଳ ନେଇ ରାଜାମାନଙ୍କର ଅଭିଷେକ ହେଉଥିଲା। ଏହାର ଉଲ୍ଲେଖ ରାମାୟଣ ମଧ୍ୟ ରହିଛି। ବନକୁ ଯିବା ସମୟରେ ପ୍ରଭୁ ଶ୍ରୀରାମ ପ୍ରୟାଗରାଜ୍ ତଥା ବର୍ତ୍ତମାନର ଆହ୍ଲାବାଦର ଋଷି ଭରଦୱାଜଙ୍କ ଆଶ୍ରମକୁ ହିଁ ଯାଇଥିବା ପୁରାଣରେ ଉଲ୍ଲେଖ ରହିଛି ।