(ରିପୋର୍ଟସ ଟୁଡ଼େ) ଭୁବନେଶ୍ୱର: ଆଜିଠୁ କଟକ-ଭୁବନେଶ୍ୱର ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ସପିଂ ମଲ। ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ଓଡିଶା ସହରାଂଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ। ଏପରିକି କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସି ମଲ ଖୋଲା ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହା ସହ ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏବେ କଟକ-ଭୁବନେଶ୍ୱରରେ ସପିଂ ମଲ ବନ୍ଦ କରିବାକୁ ନିଷ୍ପତ୍ତି କରି କମିଶନରେଟ ପୋଲିସ ଏଥିରେ ଆଉ ଗୋଟିଏ ପଦକ୍ଷେପ ନେଇଛି ।