(ରଜନୀକାନ୍ତ ପାତ୍ର)ହିଂଜିଳିକାଟୁ: ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରତିରୋଧ କରିବାପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆହ୍ବାନ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ପର୍ୟ୍ୟନ୍ତ ପ୍ରତ୍ୟେକ ସ୍ତରରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁ ବାହାର ଲୋକମାନେ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି ତାଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବ । ଛତ୍ରପୁର ଓ ବ୍ରହ୍ମପୁର ରେଳ ଷ୍ଟେସନ ରେ ସଚେତନତା ପ୍ରକୋଷ୍ଠ କାର୍ୟ୍ୟକରିବ। ସବୁ ସରକାରୀ କାର୍ୟ୍ୟାଳୟ, ସର୍ବ ସାଧାରଣ ଯାତାୟତ ସ୍ଥାନ, ପରିବହନ ଯାନ, ବିଦ୍ୟାଳୟ ଗୁଡିକରେ କରୋନା ପାଇଁ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍ ତାର ପ୍ରଚାର ପତ୍ର ଲଗାଯିବ। ବ୍ଲକ୍ ଉନ୍ନୟନ ଅଧିକାରୀ ଆସନ୍ତାକାଲି ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କର ବୈଠକ ଡାକିବେ, ପୂର୍ବାହ୍ନରେ ବ୍ଲକ ରେ ଏବଂ ଅପରାହ୍ନରେ ଗ୍ରାମ ପଞ୍ଚାୟତ ସ୍ତରରେ ହାତ ଧୋଇବାର କୌଶଳ ପ୍ରଦର୍ଶନ କରାଯିବ । ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୁଡିକ ସଫା ସୁତୁରା କରି ରଖିବେ ଯାହା ଫଳରେ କି ସେଠାରେ କରୋନା ନିରୋଧ ଗୃହ କାର୍ୟ୍ୟ କରିପାରିବ । ପ୍ରତ୍ୟେକ ପୌରସଂସ୍ଥା ମାନଙ୍କରେ ଦୁଇ ଗୋଟି ସ୍ବତନ୍ତ୍ର କରୋନା ନିରୋଧ ଗୃହ ପ୍ରସ୍ତୁତ ହୋଇ ରହିବ । ସମସ୍ତ ଡାକ୍ତରଖାନା ମାନଙ୍କରେ ପୃଥକୀ କରଣ କକ୍ଷ ସଜାଗ ରହିବ । ଥଣ୍ଡାକାଶ ପିଡିତ ବ୍ୟକ୍ତି ନିକଟସ୍ଥ ସ୍ଭାସ୍ଥ୍ୟ କର୍ମୀଙ୍କୁ ସ୍ବତଃ ପ୍ରବୃତ ସୂଚନା ଦେବେ । କେହି ଏହା ଲୁଚାଇଲେ ତାଙ୍କ ବିରୁଦ୍ଧରେ ବିହିତ କାର୍ୟ୍ୟାନୁଷ୍ଠାନ ହେବ । ସର୍ବ ସାଧାରଣ ସମାବେଶକୁ ବାରଣ କରାଯାଇଛି । ସିନେମା ହଲ୍ ,ଜିମ୍, ସୁଇମିଂ ପୁଲ୍, ସର୍ବ ସାଧାରଣ କ୍ଲବ ପ୍ରଭୃତି ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ଉପ ଜିଲ୍ଲାପାଳ ମାନେ ୧୪୪ ଧାରା ପ୍ରୟୋଗ କରିପାରିବେ । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଏବଂ ମୋ ନିବେଦନ ଓ ଆମ ଗାଁ ତହସିଲ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଏବଂ ଶିକ୍ଷକମାନେ ନିୟମିତ ଉପସ୍ଥିତ ରହିବେ । ଯାନି ଯାତ୍ରା ଉପରେ କଟକଣା ଜାରି କରାଯିବ । ପାନ ପିକରୁ ନିବୃତ୍ତ ରହିବାପାଇଁ ଅନୁରୋଧ କରାଯାଇଛି। କେବଳ ରାଜ୍ୟସରକାରଙ୍କ ପ୍ରଦତ୍ତ ବାର୍ତ୍ତାକୁ ଗ୍ରହଣ କରିବାପାଇଁ କୁହାଯାଇଛି ।ସାମାଜିକ ଗଣ ମାଧ୍ୟମକୁ ଗୁରୁତ୍ବ ନ ଦେବାକୁ କୁହାଯାଇଛି । କୌଣସି ଘରୋଇ ସଂସ୍ଥା କରୋନା ପରୀକ୍ଷା କରିବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡିବାପାଇଁ କୁହାଯାଇଛି । ଜିଲ୍ଲା ସ୍ତରରେ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ୟ୍ୟ କରିବ। ଜନ ସାଧାରଣ ଟେଲିଫୋନ୍ ନମ୍ବର ୦୬୮୦-୨୨୨୪୭୯୮ ଅଥବା ୯୪୩୯୯୮୩୯୫୬ କିମ୍ବା ଟୋଲ ଫ୍ରି ନମ୍ବର ୧୦୪ରେ ଯୋଗାଯୋଗ କରିପାରିବେ। ଆବଶ୍ୟକ ସ୍ଥଳେ ରାଜ୍ୟ ସ୍ତର ଟେଲି ଫୋନ୍ ନମ୍ବର ୦୬୭୪-୨୩୯୦୪୬୬ ରେ ଯୋଗାଯୋଗ କରିପାରିବେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।