ବାଦାମବାଡ଼ି ବସଷ୍ଟାଣ୍ଟ ପ୍ରସ୍ତାବିତ ଅଂଚଳ ବୁଲି ଦେଖିଲେ ସରକାର

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କଟକର ବାଦାମବାଡ଼ି ବସଷ୍ଟାଣ୍ଟ ଖାନନଗରକୁ ଉଠିବା ନେଇ ଘୋଷଣା ହେବା ପରେ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେବେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର , ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର , ସିଏମସି କମିସନର୍ ଅନନ୍ୟା ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେମାନେ ଏହି ସମୟରେ ଖାନନଗର ରିଂଗ ବନ୍ଧ ଆଖପାଖ ବସ୍ତି ଓ ବିଶ୍ବନାଥ ପାଠାଗର ଆଦି ବୁଲି ଦେଖିଛନ୍ତି । ଅଧିକାରୀମାନେ ଆବଶ୍ୟକ ହେଉଥିବା ୩୦ ଏକର ଜମିକୁ କିପରି ଚିହ୍ନଟ କରାଯିବ ତାହାର ତଦାରଖ କରିଥିଲୋ ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି। ଅପରପକ୍ଷରେ ଆଜିଠାରୁ କଟକରେ ଥିବା ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଡର ମରାମତି ଏବଂ ନବୀକରଣ କାମ ଆରମ୍ଭ ହୋଇଛି। ଏହି କାମ ଏକ ମାସ ଭିତରେ ଶେଷ କରିବାକୁ ଯୋଜନା ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚି ୫-ଟି ସଚିବ ଭିକେ ପାଣ୍ଡିଆନ୍ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ସିଏମସି କମିସନର୍, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଗସ୍ତ କରିଥିଲେ । ସେହି ଦିନ ସୂଚନା ମିଳିଥିଲା ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଞ୍ଚଳକୁ ଉଠାଇ ନିଆଯିବ।