ଦେଶର ୭୫ଟି ଷ୍ଟେସନରେ ୧୦୦ ଫୁଟର ତ୍ରିରଙ୍ଗା

(ରିପୋଟର୍ସ ଟୁଡେ): ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବରୁ ଏ-୧ ଶ୍ରେଣୀ ମଧ୍ୟରେ ଆସୁଥିବା ଦେଶର ୭୫ଟି ରେଳ ଷ୍ଟେସନର ପରିସରରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତ୍ରିରଙ୍ଗାକୁ ବିଧିବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାରର ସମ୍ମାନ ଦିଆଯିବା ସହ ଏହାକୁ ରେଳ ଷ୍ଟେସନମାନଙ୍କରେ ପ୍ରତିଷ୍ଠା କରାଯିବ। ଗୋଟିଏ ଗୋଟିଏ ତ୍ରିରଙ୍ଗା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୭ଲକ୍ଷ ଟଙ୍କା ଲେଖାଁଏ ଖର୍ଚ୍ଚ କରାଯିବ।

ଯେଉଁ ସମସ୍ତ ଷ୍ଟେସନମାନଙ୍କରୁ ବାର୍ଷିକ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରାଯାଉଛି ସେହି ସମସ୍ତ ଷ୍ଟେସନଗୁଡ଼ିକୁ ଏ-୧ ଶ୍ରେଣୀର ମାନ୍ୟତା ପ୍ରଦାନ କରାଯାଇଛି। ମୁମ୍ବାଇର ୭ଟି ଷ୍ଟେସନରେ ପରିସରରେ ପ୍ରଥମ ପର୍ୟ୍ୟାୟରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି। ମୁମ୍ବାଇର ଯେଉଁ ୭ଟି ଷ୍ଟେସନ ରେ ପ୍ରଥମ ପର୍ୟ୍ୟାୟରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ପ୍ରତିଷ୍ଠା କରାଯିବ ସେଗୁଡ଼ିକ ହେଲା ସିଏସ୍ଏମ୍ଟି, ମୁମ୍ବାଇ ସେଣ୍ଟ୍ରାଲ, ବାନ୍ଦ୍ରା ଟର୍ମିନସ୍, ଥାନେ, କଲ୍ୟାଣ, ଲୋକମାନ୍ୟ ତିଲକ ଟର୍ମିନସ୍ ଏବଂ ଦାଦର।