ମେଧାବୀ ଛାତ୍ରଛାତ୍ରୀ, ସମାଜସେବୀ ଓ ଅନୁକରଣୀୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଶିକ୍ଷାବିତ୍ ସ୍ୱର୍ଗତ ରବୀନ୍ଦ୍ରନାଥ ନାୟକଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳୋ-ମଲ୍ଲିପୁରସ୍ଥିତ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିସରରେ ତାଙ୍କ ନାମରେ ପ୍ରତିଷ୍ଠିତ ରବି ଅଶୋକ ସୋସିଆଲ ୱେଲଫେୟାର ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ତଥା ସ୍ୱର୍ଗତ ରବୀନ୍ଦ୍ରନାଥ ନାୟକଙ୍କ ପୁତ୍ର ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦିଗମ୍ବର ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ବିଜୟ କୁମାର ବଳ, ଜଗନ୍ନାଥ ସଂସ୍କୃତିର ପ୍ରଚାରକ ସରୋଜ କୁମାର ମଲ୍ଲ ଓ ପାର୍ବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ଅଞ୍ଚଳର ସମାଜସେବୀ ତଥା ସମାଜ ପାଇଁ ଉଦାହରଣ ସାଜିଥିବା ଅନଗ୍ରସର ବର୍ଗର ବ୍ୟକ୍ତିବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଭାର ସମ୍ମାନ, ଶିକ୍ଷାର ପ୍ରସାର ଓ ସମାଜସେବା ପ୍ରତି ଉତ୍ସାହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।