ବରୀ/ପ୍ରଶାନ୍ତ ଦ୍ୱିବେଦୀ: ଆଜି ନଭେମ୍ବର ୧୪ ତାରିଖ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ଦିନଟିକୁ ବିଶେଷକରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ତେବେ ଆଜିଏହି ଦିନରେ ଜଗା ଶିଶୁ ସାହିତ୍ୟ ସଂସଦର ୩୦ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋମଳ ମତି ଶିଶୁ ମାନଙ୍କ ମନର କଥା ବୁଝି ସେମାନଙ୍କ ପାଇଁ ଲେଖିବା ସହଜ ସାଧ୍ୟ ନୁହେଁ । ଏମିତି କିଛି ମତ ଦେଇଥିଲେ ସେଠାରେ ଯୋଗ ଦେଇଥିବା ଅତିଥିମାନେ ।
ସାମନ୍ତସିଂହାର ଉଚ୍ଚ ବିଦ୍ୟାଳୟ ଅଭିମୁନ୍ୟ ବାଲିଆଠାରେ ଆୟୋଜିତ ଉତ୍ସବରେ ସଂସଦର ସଭାପତି ବ୍ରଜମୋହନ ସାମଲ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥିଭାବେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଭୁବନେଶ୍ୱରର ନିର୍ଦ୍ଦେଶକ ଯଶୋବନ୍ତ ଜେନା, ବିଶିଷ୍ଟ ଆଲୋଚନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ମୁଖ୍ୟବକ୍ତା ଏବଂ ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ମହେଶ୍ୱର ବଳ ଓ ଭକ୍ତଚରଣ ସାହୁ ଯୋଗ ଦେଇ ସାମ୍ପ୍ରତିକ ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଅଧିକରୁ ଅଧିକ ଶିଶୁ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସମାଜ ସେବା ପାଇଁ ଅଶୋକ କୁମାର ବେହେରା,ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ସରୋଜକାନ୍ତ ପରିଜା, ସାମ୍ବାଦିକତା ପାଇଁ ସନ୍ଦିପ୍ତ ରାୟ, ସେକ୍ ଜଗିରୁଦ୍ଦିନ୍, ବେହେରା ଏବଂ ଚିତ୍ରକର ଭାବେ ଚିତ୍ତରଂଜନ ମହାପାତ୍ରଙ୍କୁ ଅତିଥିମାନେ ମାନପତ୍ର, ଉପଢୋକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଡଃ ନିରଂଜନ ସାହୁ ଅତିଥିପରିଚୟ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଶ୍ୱବନ୍ଦିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଅଜୟ କୁମାର ଜେନା ଲିଖିତ କାଶ୍ମୀର କୋଳରେ ପାଞ୍ଚ ରାତି ଓ ମାସିକ ସମ୍ବାଦପତ୍ର ରତ୍ନଗିରିର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ଶିଶୁ ସାହିତ୍ୟିକ ସୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂହ ଓ ନିର୍ମଳା ମହାନ୍ତିଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ସଂସଦର ଉପସଭାପତି ଶରତ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।