ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରକୁ କରିଦେଲା ଶେଷ। ପରିବାର ସହ କାରରେ ଯାଉଥିବା ବେଳେ ହଠାତ ଡ୍ରାଇଭରଙ୍କ ଆଖି ଲାଗିଗଲା। ଆଉ ତା’ପରେ କାର୍ ଯାଇ ଗୋଟିଏ ଚଳନ୍ତା କଣ୍ଟେନର ପଛପଟେ ପିଟି ହୋଇଗଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ସେମାନଙ୍କ ୩ ବର୍ଷର ଛୁଆ । ମହାରାଷ୍ଟ୍ରର ସମୃଦ୍ଧି ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର୍ର ସମ୍ମୁଖ ଅଂଶ ଭାଙ୍ଗିଯାଇଛି।

ଗୋଟିଏ ପରିବାରର ୩ ଜଣ ସଦସ୍ୟ ସେମାନଙ୍କ ମହିନ୍ଦ୍ରା ଏକ୍ସୟୁଭିରେ ନାଶିକରୁ ବାହାରିଥିଲେ। ସେମାନେ ଜାଲନା ଯାଉଥିଲେ। ହେଲେ ଏକ୍ସପ୍ରେସ ୱେ ଗାଡ଼ି ଚାଳକ କାର୍କୁ ନେଇ ଗୋଟିଏ ଚଳନ୍ତା କଣ୍ଟେନର ପଛରେ ଜୋରଦାର ଢଙ୍ଗରେ ପିଟି ଦେଇଥିଲେ। ସମୃଦ୍ଧି ଏକ୍ସପ୍ରେସୱେର ଭେରୁଲରୁ ଛତ୍ରପତି ସମ୍ବାଜୀନଗର ଷ୍ଟ୍ରେଚରେ ଏହି ଘଟଣା ଘଟିଥିଲା।ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି ଯେ କାରଟି କଣ୍ଟେନର ପଛ ପଟେ ଧକ୍କା ହେବା ପରେ ପୂରା ଲାଖି ଯାଇଛି। ସେହିପରି ଏହାର ସାମ୍ନା ପଟଟି ସଂପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଛି। ଏହି ଦୁର୍ଘଟଣାରେ ପ୍ରତୀକ ରାମକିଶନ ଜଗଦାଲେ ଓ ତାଙ୍କ ପତ୍ନୀ ଶ୍ରେୟା ରାଜେନ୍ଦର ପାଣ୍ଡେଙ୍କ ସମେତ ୩ ବର୍ଷର ଛୁଆର ମୃତ୍ୟୁ ଘଟିଛି।ପ୍ରାଥମିକ ଯାଞ୍ଚ ଅନୁସାରେ, ପ୍ରତୀକ ନିଜେ ହିଁ ଗାଡ଼ି ଚଳାଉଥିଲେ। ହେଲେ ଏକ୍ସପ୍ରେସ ୱେରେ ତାଙ୍କ ଆଖି ସାମାନ୍ୟ ଲାଗି ଯାଇଥିଲା। ଏଥିଯୋଗୁ କାରଟି ସିଧା ଯାଇ ବିଶାଳକାୟ କଣ୍ଟେନରରେ ପିଟି ହୋଇଯାଇଥିଲା।