(ଜୟନ୍ତ କୁମାର ସେଠୀ/ଗୋପ): ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାକୁ ନେଇ ଆଜି ୨୨ ଜଣ ଗିରଫ ହୋଇଛନ୍ତି । କିଛି ଦିନ ତଳେ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ରେଢୁଆ ଗାଁ ଯାଇଥିଲା ଗୋପ ପୋଲିସ । ଏହି ସମୟରେ ପୋଲିସକୁ ୬ ଘଣ୍ଟା ଧରି ଅଟକାଇ ରଖିଥିଲେ ଗ୍ରାମବାସୀ । ଏହା ସେମାନଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ସୂଚନା ଅନୁଯାୟୀ, ଏକ ଘଟଣାର ତଦନ୍ତ କରିବାକୁ ଗୋପ ଥାନା ପୋଲିସ ରେଢୁଆ ଗାଁ ଯାଇଥିଲା । ତେବେ ଅଭିଯୋଗଟି ମିଥ୍ୟା ହୋଇଥିବାରୁ ଏବଂ ବିଳମ୍ବିତ ରାତିରେ ଗାଁରେ ପୋଲିସ ପହଞ୍ଚିଥିବାରୁ ଗାଁ ଲୋକେ ଏହାର କାରଣ ଜାଣିବାକୁ ଚାହିଁଥିଲେ । ଏହି ସମୟରେ ସେଠାରେ କିଛି ମହିଳାଙ୍କୁ ପୋଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ଦର୍ଶାଇ ଗାଁ ଲୋକେ ଧାରଣା ଦେବା ସହ ୨ଟି ପୋଲିସ ଜିପ୍କୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ । ଏହି ଖବର ପାଇ ପରଦିନ ସକାଳେ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସମେତ ନିମାପଡା, କୋଣାର୍କ ଓ କାକଟପୁର ଥାନା ଆଇଆଇସି ଏକ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଅଟକ ପୋଲିସ କର୍ମଚାରୀଙ୍କୁ ଗାଁ ଲୋକେ ଛାଡିଥିଲେ । ଅନ୍ୟପଟେ ପୋଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ଭିତ୍ତି କରି ଆଜି ୨୨ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି । ତେବେ ଗାଁରେ ମହିଳାଙ୍କୁ ର୍ଦୁବ୍ୟବହାରକୁ ନେଇ ଉକ୍ତ ପୋଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୋଲିସର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ରେଢୁଆ ଗ୍ରାମବାସୀ ତୀବ୍ର ନିନ୍ଦା କରିଛନ୍ତି ।