(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଅସୁସ୍ଥତା କାରଣରୁ ଜନସାଧାରଣଙ୍କ ନିକଟରେ ନିଜକୁ ଦୂରେଇ ରଖିଥିବା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁମ୍ବାଇ ସ୍ଥିତ କୋକିଳା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ନିଜ ବାସ ଭବନ ଖୋର୍ଦ୍ଧା କୁ ଫେରିଛନ୍ତି । ସେ ଫେରି ଆସିବା ଖବର ପାଇ ଭୁବନେଶ୍ୱର ବିମାନବନ୍ଦର ଠାରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗବ୍ଦେବ, ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ବିଜୟ ନାୟକ, ପୂର୍ବତନ ମୁମ୍ବାଇ ପୁଲିସ କମିଶନର ତଥା ବିଜୁ ଯୁବ ବାହିନୀର ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ସମିତି ସଭ୍ୟ, ପୂର୍ବତନ କାଉନସିଲରଙ୍କ ସମେତ ତାଙ୍କର ଅନେକ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଠିକ୍ ସେହିପରି ଭାବରେ ତାଙ୍କ ଖୋର୍ଦ୍ଧା ସ୍ଥିତ ବାସଭବନରେ ତାଙ୍କୁ ଦେଖା କରିବା ନିମନ୍ତେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ତାଙ୍କର ଶୁଭେଚ୍ଛୁ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କର ସୁଅ ଛୁଟିଥିଲା । ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ସୁସ୍ଥ ହୋଇ ଫେରିବା ଖବର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଜନସାଧାରଣ ପାଇବା ପରେ ସେମାନଙ୍କ ମଧ୍ୟରେ ଆନନ୍ଦ ଲହରି ଖେଳି ଯାଇଥିଲା ।