ତାଳଚେର ଓ କଣିହାଁରେ ବର୍ଷାର ବିତ୍ପାତ

(ଜ୍ୟୋତିରଞ୍ଜନ ଧର /ଅନୁଗୁଳ) : ଓଡିଶା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା ତାଳଚେର ଓ କଣିହାଁ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଗତ ସୋମବାର ଓ ମଙ୍ଗଳବାର ମଧ୍ୟରେ ରାଜ୍ୟରେ ତାଳଚେର ସବାଧିକ ବର୍ଷା ରେକର୍ଡ଼ କରାଯାଇଛି । ବର୍ଷା ଜଳ ନିଷ୍କାସନ ହୋଇନପାରି ଚାରିଆଡ଼େ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ସହରର ଖାଲୁଆ ଅଞ୍ଚଳରେ ବର୍ଷାଜଳ ଜମି ରହିବା ସହ ଘରେ ପଶି ଲୋକ ହନ୍ତସନ୍ତ ହୋଇଛନ୍ତି। ମଣ୍ଡାପାଳଠାରେ ଡ୍ରେନ୍ ନିର୍ମାଣ କାର୍ୟ୍ୟ ଶେଷ ହୋଇନଥିବାରୁ ମଣ୍ଡାପାଳ ମେଡ଼ିକାଲ୍ କଲୋନୀରେ ବର୍ଷା ଜଳ ପ୍ରବେଶ କରିଛି । ଘର ଭିତରରେ ପାଣି ଲହଡ଼ି ମାରୁଛି। ପ୍ରତିବର୍ଷ ବର୍ଷା ସମୟରେ କଲୋନୀବାସୀ ଅସୁବିଧା ଭୋଗ କରୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସେହିପରି ସହରର ଡ୍ରେନ୍ ପାଣି ରାସ୍ତା ଉପରକୁ ମାଡ଼ି ଆସିଛି।
ମନଇଚ୍ଛା ଗୃହ ନିର୍ମାଣ, ସଫା ନକରିବା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଜଳ ନିଷ୍କାସନ ସ୍ଥାନକୁ ମାଟି ଭର୍ତ୍ତି କରି ଘର ତିଆରି କରିବା,ବର୍ଷା ଆଗରୁ ଡ୍ରେନ୍ ଗୁଡ଼ିକୁ ପୂର୍ବରୁ ଟାଉନ୍ଦତାକୁ ସ୍ୱତନ୍ତ୍ର ସଫେଇ ନହେବାରୁ ଫଳରେ ସ୍ଥିତି ଗମ୍ଭୀର ହୋଇଛି । ବର୍ଷା ପାଣି ନିଷ୍କାସନ ନହେବା ହେତୁ ୧୦ ନମ୍ବର ୱାର୍ଡ଼ ଜଳାର୍ଣ୍ଣବ ହୋଇପଡ଼ିଛି। ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଜଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଲୋକମାନେ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ସହରର ବାଇପାସ ଠାରୁ ହାଣ୍ଡିଧୂଆ ପର୍ୟ୍ୟନ୍ତ ମୁଖ୍ୟ ରାସ୍ତାରେ ପାଣିର ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ହାଟତୋଟା ଠାରୁ ଶର୍ମାଛକ, ହାଣ୍ଡିଧୂଆ ଛକ ରାସ୍ତା ଓ ଡ୍ରେନ୍ ଏକାକାର ହୋଇପଡ଼ିବା ସଙ୍ଗେ ସଙ୍ଗେ ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି । ଏହି ରାସ୍ତାରେ ଯାତାୟାତ ପାଇଁ ଲୋକମାନେ ବିପଦ ମଣୁଛନ୍ତି। ଲଗାଣ ବର୍ଷା ଫଳରେ କୋଇଲା ଖଣିଗୁଡ଼ିକରେ ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ କୋଇଲା ଖଣିରେ ବର୍ଷାପାଣି ପଶିବା ଯୋଗୁଁ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।କମରେଇ ଓ ହରିହରପୁର ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ । ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଥିବାରୁ ବିଜିଗୋଳ-ବାରଡ଼ାଙ୍ଗୁଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଦିନ ସାରା ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରି ପାରୁନଥିବାବଳେ ଦୋକାନ ବଜାର ବନ୍ଦ ରହିଥିଲା। କଚା ଘର କାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିପରି ରୁଟୁଭୂଇଁ ସିଙ୍ଗଡା ପୋଲ ଉପରେ ୩ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଫଳରେ କମରେଇ ଓ ହରିହର ପୁର ପଂଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏନଟିପିସି, ଓଭରବ୍ରିଜ୍ – ବିଜିଗୋଳ ରାସ୍ତାରେ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ପ୍ରବାହିତ ହେବା ଫଳରେ ଲୋକଙ୍କ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୧୮ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା।