ବ୍ରେକିଂ ନ୍ୟୁଜର ବେଳ ନୁହେଁ ବ୍ରେକିଂ ନେସନର ବେଳ: ସୁବ୍ରତ ବାଗଚୀ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବର୍ତ୍ତମାନ ସାରା ରାଜ୍ୟବାସୀ କରୋନା ନେଇ ଭୟଭୀତ ଅଛନ୍ତି। ରାଜଧାନୀର କ୍ୟାପଟାଲ ହସପିଟାଲରେ କରୋନା ରୋଗୀ ଚିହ୍ନଟ ହେବା ଫଳରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି।
ତେବେ ଗଣମାଧ୍ୟମ ପାଇଁ ମଧ୍ୟ ଗାଇଡ୍ଲାଇନ ଜାରି କରାଯାଇଛି। ବ୍ରେକିଂ ନ୍ୟୁଜ୍ର ବେଳ ନୁହେଁ ବ୍ରେକିଂ ନେସନର ବେଳ ବୋଲି କହିଛନ୍ତି ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ସମାଜ ବ୍ରେକ୍ ହୋଇଯିବାର ଆଶଙ୍କା ରହିଛି। କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରନ୍ତୁନି ବୋଲି ବାଗ୍ଚୀ କହିଛନ୍ତି। ପରିସ୍ଥିତି ମୁକାବିଲା ପାଇଁ ହସ୍ପିଟାଲ କର୍ମଚାରୀ ସଜାଗ ରହିଛନ୍ତି।
ଡାକ୍ତରଙ୍କ କାର୍ୟ୍ୟରେ ବାଧା ଦେଲେ ବିପଦ ସୃଷ୍ଟି ହେବ। ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ନିଅନ୍ତୁନି। ପ୍ରତିକ୍ରିୟା ନେଲେ ସେମାନେ ବିପଦରେ ପଡିବେ ବୋଲି ବାଗ୍ଚୀ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧି ନିଜ ଓ ପରିବାର କଥା ଭାବନ୍ତୁ। ନିଜକୁ ବିପଦସଙ୍କୁଳ ଅବସ୍ଥାକୁ ନେଇଯାଆନ୍ତୁ ନାହିଁ। ଚିକିତ୍ସା ବ୍ୟବସ୍ଥାକୁ ଅଚଳ କରିବାକୁ ଆଗେଇ ଆସନ୍ତୁନି ଦାୟିତ୍ୱ ସମ୍ପନ୍ନ ଭାବେ କାମ ନକଲେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୁବ୍ରତ ବାଗ୍ଚୀ କହିଛନ୍ତି।