(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତି ପଞ୍ଚାୟତ ଗୁଡ଼ିକରେ ଆରମ୍ଭ ହୋଇଛି ସ୍ବଚ୍ଛତା ଅଭିଯାନ କାର୍ୟ୍ୟକ୍ରମ ।ମୋ ସ୍ବାଭିମାନ, ସ୍ବଚ୍ଛ ଗଂଜାମର ନାରା ଦେଇ ସ୍ବଚ୍ଛତା ନିମିତ୍ତ ଏହି ସଚେତନତା କାର୍ୟ୍ୟକ୍ରମ କରାଯାଉଛି। ବେଗୁନିଆପଡ଼ା ପଞ୍ଚାୟତରେ ଜିଲ୍ଲା ଡେପୁଟି ଡାଇରେକ୍ଟରଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ, ଆର ଡବ୍ଲ୍ୟୁ ଏସ ଏସ ଯନ୍ତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଶା ଓ ଅଙ୍ଗନୱାଡି କର୍ମି ମାନେ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ୟ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ପରିବା ବଜାର ଠାରେ ଏକ ସଭା ମାଧ୍ୟମରେ ସଚେତନତା କରାଯାଇଥିଲା। ସ୍ବଚ୍ଛତା ପ୍ରତି ସଜାଗ ରହି ଏଥିପ୍ରତି ସମୟ ଦେବା, ପରିବେଶକୁ ସଦାସର୍ବଦା ସଫା ରଖିବା, ସର୍ବ ପ୍ରଥମେ ନିଜ ଘରୁ ଏବଂ ପରେ ଗାଁରୁ ଏହି ଅଭିଯାନ ଆରମ୍ଭ କରିବାକୁ କୁହାଯାଇଥିଲା। ଆଗକୁ ମଧ୍ୟ ଏହି କାର୍ୟ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।