(ଦୀପକ କୁମାର) ଯାଜପୁର: ଧର୍ମଶାଳା ବ୍ଲକ, ଅଞ୍ଜିରା ପଞ୍ଚାୟତର ବୁରୁସାହି ଗାଁରେ୨୪ ଆଦିବାସୀ ପରିବାର ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ବସବାସ କରନ୍ତି । ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ଏହି ଆଦିବାସୀ ସମ୍ପ୍ରଦାୟ । ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ନିରୀହ ଆଦିବାସୀ “ଚୁଆ” ର ଦୂଷିତ ପାଣି ପିଇ ନାନା ଚର୍ମରୋଗରେ ପୀଡିତ ହୋଇ ଯନ୍ତ୍ରଣାମୟ ଜୀବନ କାଟୁଛନ୍ତି । ସାହିକୁ ଖଣ୍ଡେ ଭଲ ରାସ୍ତା ନାହିଁ । ଅନ୍ୟ ଋତୁରେ ଚଳିଯାଏ, କିନ୍ତୁ ବର୍ଷା ଆସିଲେ ଯାତାୟାତକୁ ନେଇ ଚିନ୍ତାରେ ପଡନ୍ତି ଏଠାକାର ଲୋକେ । ପିଲାଙ୍କ ପାଠ ପଢା ପାଇଁ ସ୍କୁଲଟିଏ ନାହିଁ । ଯେଉଁ ସ୍କୁଲ ରହିଛି ସେମାନଙ୍କ ବସତିଠାରୁ ଦୂରରେ, ତେଣୁ ଅଧିକାଂଶ ପିଲା ପାଠପଢନ୍ତି ନାହିଁ ।
ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ “ସଚେତନ ନାଗରିକ ମଞ୍ଚ”ର ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ଗତ ଜୁଲାଇ ୨୪ ତାରିଖରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଅନ୍ୟ ଅଧିକାରୀ ମାନଙ୍କ ସହ ବୁରୁସାହି ଗସ୍ତ କରି ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ଯଥାଶୀଘ୍ର ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ମଧ୍ୟରେ ଦେଢ ମାସ ବିତିଗଲାଣି, କିନ୍ତୁ ଏଯାଏଁ ନା ଅନ୍ୟ କେହି ଅଧିକାରୀ ଏଠାକୁ ଆସିଛନ୍ତି, ନା କୌଣସି ସୁବିଧା ଯୋଗାଇ ଦିଆଯାଇଛି ।
ସରକାର ଲୋକଙ୍କ ବିକାଶର କଥା କହୁଥିବା ବେଳେ କିନ୍ତୁ ବୁରୁସାହି ବାସୀ ବିକାଶ କଣ ଜାଣିନାହିଁ । ଭୋଟ ଆସିଲେ ନେତାଙ୍କ ସୁଅ ଛୁଟେ, ବିକାଶର କଥା କୁହାଯାଏ, ଉନ୍ନତିର ସ୍ୱପ୍ନ ଦେଖାଯାଏ । କିନ୍ତୁ ଭୋଟ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ଏଠାର । ତେଣୁ ଏହି ସାହି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।