(ଶେଖ ଅରଶଦ ଉଲ୍ ହକ୍/ଖୋର୍ଦ୍ଧା): ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ୨୦୧୯ ଅପ୍ରେଲ ୨୩ ତାରିଖରେ ହେବାକୁ ଥିବା ବେଳେ ଏହି ଆସନ ଉପରେ ଅନେକ ପ୍ରାର୍ଥୀଙ୍କ ନଜର । ତେବେ ଏଠାରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ହେବ ବୋଲି କୁହାଯାଇଛି । ବିଜେଡ଼ି ଦଳରୁ କିଏ ପ୍ରାର୍ଥୀ ହେବ ତାହା ନିର୍ଣ୍ଣୟ ହୋଇନଥିବା ବେଳେ ମୁଖ୍ୟତଃ ଏହି ଆସନ ହାତେଇବାକୁ ବିଜେଡିର ୪ ଜଣଙ୍କ ମଧ୍ୟରେ ଯୋରଦାର ଟଣଓଟରା ଚାଲିଛି । ସମସ୍ତ ୪ ନେତା ହାଇକମାଣ୍ଡଙ୍କୁ ପଟେଇବାକୁ ସବୁ ପ୍ରକାର କଶରତ ଚଳାଇଥିବା କୁହାଯାଉଛି ।
ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନାମ ଚର୍ଚ୍ଚାର ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ରାଜେନ୍ଦ୍ର ଦୁଇ ଥର ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କର ଦୁର୍ନୀତି ତାଲିକା ଲମ୍ବା ରହିଛି । ଅଭିଯୋଗ ଆସିବା ସହ ମାମଲା ହାଇକୋର୍ଟରେ ଚାଲୁଅଛି । ସେଥି ମଧ୍ୟରୁ ୨୦୦୯ ଓ ୨୦୧୪ରେ ମିଥ୍ୟା ସତ୍ୟପାଠ, ଖୋର୍ଦ୍ଧା ପୋ÷ରପରିଷଦର ଅଡ଼ିଟ୍ ରିପୋର୍ଟରେ କୋଟି କୋଟି ଟଙ୍କା ହେରଫେର, ନିର୍ବାହୀ ଅଧିକାରୀ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସ୍ୱାଇଁଙ୍କ ସ୍ତ୍ରୀ ଏ ଯାବତ ପେନସନ୍ ପାଇବାରୁ ବଂଚିତ ହୋଇ ଭୋକ ଉପାସରେ ଦିନ କାଟିବା, ତତ୍ସହ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କର ୭୦ ଲକ୍ଷ ଟଙ୍କା ଋଣ ଆକାରରେ ନେଇ ଫେରସ୍ତ କରି ନଥିବାରୁ ମଧ୍ୟ କୋର୍ଟରେ ବିଚାରାଧିନ ରହିଅଛି । ବେଆଇନ ପଥର ଖଣି ଗୁଡ଼ିକରେ ସମ୍ପୃକ୍ତି ଥିବା ଏବଂ ଶିଳ୍ପାଚଂଳରେ ଓ ବାହାର ରାଜ୍ୟର ବ୍ୟକ୍ତିମାନଙ୍କୁ ଶିଳ୍ପାନୁଷ୍ଠାନ ସ୍ଥାପନ କରିବା ନିମନ୍ତେ ଅନୁମତି ପ୍ରଦାନ କରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କର ରୋଷର ଶିକାର ହୋଇ ୨୦୧୪ରେ ମୁନ୍ୟୁସିପାଲିଟି ଭୋଟ ପାଇବାରୁ ବଂଚିତ ହୋଇଥିଲେ ରାଜେନ୍ଦ୍ର । ଏଥିନେଇ ହାଇକମାଣ୍ଡଙ୍କ ରୋଷର ଶିକାର ହୋଇଥିଲେ ରାଜେନ୍ଦ୍ର ।
ଏହି ତାଲିକାରେ ଅନ୍ୟ ଆଶାୟୀ ହେଲେ ଜିତେନ୍ଦ୍ର ପ୍ରଧାନ ଓରଫ ରାଜା ପ୍ରଧାନ । ଟିକେଟ ଆଶାରେ ନିଜର ଶକ୍ତି ପ୍ରଦର୍ଶନ କରାଇବାକୁ ସେ ନିକଟରେ ଖୋର୍ଦ୍ଧାରେ ଏକ ରୋଡ଼ ଶୋ କରି ୧୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ସମାବେଶ କରାଇଥିଲେ । ତେଣୁ ତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।
ଅନ୍ୟତମ ଆଶାୟୀ ହେଲେ ପ୍ରଫୁଲ୍ଲ କୁମାର ଦଳେଇ । ତୃଣମୂଳସ୍ତରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କର ପ୍ରୀୟପାତ୍ର ପ୍ରଫୁଲ୍ଲଙ୍କୁ ଟିକେଟ ମିଳବାକୁ ନେଇ ଚର୍ଚ୍ଚା ହେଉଛି । ସେ ବିଜେଡ଼ି ଦଳକୁ ସଦୃଢ କରିବା ପାଇଁ ସଦା ସର୍ବଦା ଚେଷ୍ଟା କରିବା ଦୃଷ୍ଟିରୁ ଖୋର୍ଦ୍ଧା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଅଛନ୍ତି ପ୍ରଫୁଲ୍ଲ । ପ୍ରଫୁଲ୍ଲଙ୍କ ବିଜୟ ସହଜସାଧ୍ୟ ହେବ ବୋଲି ସାଧାରଣରେ ଚର୍ଚ୍ଚ ହେଉଅଛି । ପ୍ରଫୁଲ୍ଲଙ୍କୁ ବିଜେଡ଼ି ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହେଉଛି ।
ସେହିପରି ଭାରତୀୟ ଜନତା ପାର୍ଟି ଛାଡି ନିକଟରେ ବିଜେଡିରେ ଯୋଗ ଦେଇଥିବା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ନାମ ମଧ୍ୟ ଟିକେଟ ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି ।