ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଭେଟି
ରାଜ୍ୟରେ ଲାଗୁ ହେବ ‘ଭେଟ୍ରି ପୟାନମ୍’ ଯୋଜନା
ବସ୍ ରେ ମାଗଣା ଯାତ୍ରା କରିବେ ମହିଳା
ଅକ୍ଟୋବର ୨ରୁ ମହିଳାଙ୍କୁ ମିଳିବ ଏହି ସୁବିଧା
ତାମିଲନାଡୁର ମହିଳାଙ୍କ ପାଇଁ ବିଜୟଙ୍କ ଐତିହାସିକ ଯୋଜନା । ଏବେ ବସରେ ଯାତ୍ରା କଲେ ଆଉ ଦେବାକୁ ପଡିବନି ଟଙ୍କା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋଶେଫ ବିଜୟଙ୍କ ଗୋଟିଏ ପରେ ଗୋଟିଏ ରାଜନୈତିକ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ଭେଟି ଦେଉଛନ୍ତି ଟିଭିକେ ସରକାର । ସେହିପରି ରାଜ୍ୟର ମହିଳାମାନଙ୍କ ପାଇଁ ଅଗଷ୍ଟ 24 ତାରିଖରେ ବିଧାନସଭାରେ ମାଗଣା ବସ୍ ଯାତ୍ରା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ସି ଜୋଶେଫ ବିଜୟ । ଯାହାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ହଁ ଦର୍ଶକବନ୍ଧୁ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧାକୁ ଆହୁରି ବ୍ୟାପକ କରିବାକୁ ତାମିଲନାଡୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ‘ଭେଟ୍ରି ପୟାନମ୍’ ନାମରେ ଏହି ସମ୍ପ୍ରସାରିତ ଯୋଜନା ଅକ୍ଟୋବର 2 ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ।
ଏହାକୁ ନେଇ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ସି. ଜୋଶେଫ୍ ବିଜୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଥିଲା ।ତେବେ ସରକାରୀ ସୂଚନା ଅନୁସାରେ, ଯୋଜନାରୁ ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ଉପକୃତ ହେବାର ଆଶା ରହିଛି । ଯୋଜନାରେ ୧୨,୬୯୨ଟି ନିର୍ଦ୍ଦିଷ୍ଟ ସରକାରୀ ବସ୍ ସାମିଲ ହେବ । ପୂର୍ବରୁ ଥିବା ସାଧାରଣ ସହରୀ ଓ ନଗର ବସ୍ ବ୍ୟତୀତ ଏବେ ଏକ୍ସପ୍ରେସ୍, ଲିମିଟେଡ୍ ଷ୍ଟପ୍, ଡିଲକ୍ସ ଏବଂ ୪୦ କିଲୋମିଟରରୁ ଅଧିକ ଦୂରତା ଯାଉଥିବା କିଛି ମୋଫୁସିଲ୍ ଓ ଘାଟ୍ ସାଧାରଣ ବସ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ସରକାରୀ ତଥ୍ୟ ଅନୁସାରେ, ୭ଟି ରାଜ୍ୟ ପରିବହନ ନିଗମର ମୋଟ ବସ୍ର ପ୍ରାୟ ୬୯ ପ୍ରତିଶତ ଏହି ଯୋଜନାରେ ରହିବ । ଏହି ବସ୍ଗୁଡ଼ିକ ପ୍ରତିଦିନ ୧,୬୫,୩୧୨ଟି ସିଙ୍ଗଲ୍ ଟ୍ରିପ୍ କରିବେ ।
ତେବେ ଏହି ଯୋଜନାକୁ ସୁଚାରୁ ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦିଷ୍ଟ ବସ୍ରେ ଇଲେକ୍ଟ୍ରୋନିକ୍ ଟିକେଟ୍ ମେସିନ୍ ସ୍ଥାପନ ହେବ କାମ ଶେଷ ହୋଇଛି । ସେପ୍ଟେମ୍ବର ୨୫ ସୁଦ୍ଧା ସିଷ୍ଟମ୍ ପରୀକ୍ଷା ଶେଷ କରିବା ସହିତ ସେପ୍ଟେମ୍ବର ୨୭ରେ ଟ୍ରାଏଲ୍ ରନ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାତାୟାତ ଖର୍ଚ୍ଚ ଯୋଗୁଁ ମହିଳା ଓ ଛାତ୍ରୀମାନେ ଯେପରି ଚାକିରି କିମ୍ବା ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏହି ସୁବିଧାକୁ ବିସ୍ତାର କରାଯାଉଛି ବୋଲି ସରକାର କହିଛନ୍ତି । ଅକ୍ଟୋବର ୨ରୁ ଯୋଜନା ଲାଗୁ ହେବା ପୂର୍ବରୁ ବର୍ତ୍ତମାନ ପରିବହନ ବିଭାଗ ପକ୍ଷରୁ ଶେଷ ପର୍ଯ୍ୟାୟର ପ୍ରସ୍ତୁତି ଚାଲିଛି।