ଆସୁଛି ଫନି , ଭାସିବ ସ୍ମାର୍ଟସିଟି

(ଭୁବନେଶ୍ୱର /ରିପୋର୍ଟସଟୁଡେ): ଭୟଙ୍କର ରୂପ ନେଉଥିବା ବାତ୍ୟା ‘ଫନି’ ମେ ୩ତାରିଖ ପୁରୀ ନିକଟସ୍ଥ ବାଲୁଖଣ୍ଡରେ ସ୍ଥଳଭାଗକୁ ଛୁଇଁବ। ଏହା ଭୁବନେଶ୍ବର ଓ ବିଭିନ୍ନ ଜିଲ୍ଲା ଦେଇ ଓଡ଼ିଶା ଅତିକ୍ରମ କରିବ। ଏପରିକି ୩ତାରିଖ ସଂଧ୍ୟାରେ ବାତ୍ୟା ପ୍ରଭାବରେ ପ୍ରାୟ ୧୫୦କିମି ବେଗରେ ପବନ ବହିବା ସହ ପ୍ରାୟ ୨୦୦ରୁ ୩୦୦ମିମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ୨ରୁ ୪ତାରିଖ ପର୍ୟ୍ୟନ୍ତ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ରାଜଧାନୀ ଏବଂ ଏହା ଉପକଣ୍ଠରେ ବାତ୍ୟାର ମୁକାବିଲା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ହେଁ ବାତ୍ୟା ଜନିତ ବର୍ଷାର ମୁକାବିଲା କରିବାରେ ବିଏମ୍‌ସି ଫେଲ୍‌ ମାରିବ ବୋଲି ଜଳଜଳ ଦିଶିଲାଣି। ବାତ୍ୟା ଫନି ପ୍ରଭାବରେ ରାଜଧାନୀରେ ୨୦୦ରୁ ୩୦୦ମିମି ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାରଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ରାଜଧାନୀର ଡ୍ରେନ୍‌, ମୁଖ୍ୟ ଡ୍ରେନ୍ ଓ ରାସ୍ତାଘାଟ ଅବସ୍ଥା ଯାହା ଅଛି ସେଥିରେ ରାଜଧାନୀ ଭାସିବ ବୋଲି ଆଶଙ୍କା କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଦୁଇଥର କାଳବୈଶାଖୀ ବର୍ଷା ହୋଇଥିବାବେଳେ ଏଥିରେ ଘଣ୍ଟାଏରେ ହୋଇଥିବା ପ୍ରାୟ ୨୦ମିମି ବର୍ଷାରେ ରାଜଧାନୀର ବହୁ ଅଞ୍ଚଳରେ ପାଣି ଜମିଥିଲା। ଏପରିକି ବହୁ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ତେଣୁ ୨୦୦ମିମି ବର୍ଷା ହେଲେ ରାଜଧାନୀ‌ରେ କିପରି ବିପର୍ୟ୍ୟୟ ସୃଷ୍ଟି ହେବ ‌ତାହା ଏବେଠୁ ବାରି ହୋଇଗଲାଣି।
ରାଜଧାନୀର ଡ୍ରେନ୍‌ଗୁଡ଼ିକରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବାବେଳେ ମୁଖ୍ୟ ଡ୍ରେନ୍‌ଗୁଡ଼ିକ ପୋତି ହୋଇ ରହିଛି। ପ୍ରାକ୍‌ ମୌସୁମି ବର୍ଷା ପୂର୍ବରୁ ବିଏମ୍‌ସି ଏହାକୁ ସଫା କରିବାର ଥିଲେ ହେଁ ଏପର୍ୟ୍ୟନ୍ତ ସଫା ହୋଇନି। ସ୍ଥିତି ଯାହା ଅଛି ଯଦି ୨୦୦ମିମି ବର୍ଷା ହୁଏ ତେବେ ପୂରା ରାଜଧାନୀରେ ଅଣ୍ଟେ ଉଚ୍ଚରେ ପାଣି ଜମା ହୋଇଯିବ। କୌଣସି ଗୋଟିଏ ବି ଡ୍ରେନ୍‌ରେ ଜଳ ନିଷ୍କାସନ ସ୍ବାଭାବିକ ହେବନି। ବସ୍ତି ଦୂରର କଥା ପ୍ରତି କଲୋନି, ସରକାରୀ, ବେସରକାରୀ କାର୍ୟ୍ୟାଳୟ ସବୁଠି ଅଣ୍ଟେ ଉଚ୍ଚରେ ପାଣି ପଶିବ। ଘରୁ ବାହାରିବା କଷ୍ଟକର ହୋଇଯିବ। ବର୍ଷା ଜଳ ନିଷ୍କାସନ ବାଟ ବନ୍ଦ ଥିବାରୁ ପାଣି ପମ୍ପ୍ ଲଗାଇ ପାଣି ନିଷ୍କାସନ କଲେ ବି ଏହା ରାଜଧାନୀ ବାହାରକୁ ବାହାରିବା କଷ୍ଟକର ହେବ। ଏବେ ରାଜଧାନୀରେ ପ୍ରାୟ ୮୦୦କିମିର ଡ୍ରେନ୍‌ ଥିବା‌େ‌ବଳେ ଏଥିରୁ ବିଏମ୍‌ସି ଅଧୀନରେ ଥିବା କିଛି ଡ୍ରେନ୍‌ରୁ ପଙ୍କ କଢ଼ାଯାଇଛି। କିନ୍ତୁ ଜାତୀୟ ରାଜପଥ, ପୂର୍ତ୍ତ ଓ ଇଡ୍‌କୋ ଅଧୀନରେ ଥିବା ପ୍ରାୟ ୪୦୦ କିମିର ଡ୍ରେନ୍‌ଗୁଡ଼ିକ ଏପର୍ୟ୍ୟନ୍ତ ସଫା ହୋଇନି। ଡ୍ରେନ୍‌ ଗଭୀର ଯେତିକି ଅଛି ତା’ର ଅଧା ପୋତି ହୋଇ ରହିଛି। ତେଣୁ ବର୍ଷା ଜଳ ତୁରନ୍ତ ନିଷ୍କାସନ ହେବା ସମ୍ଭାବନା କମ୍‌ ଥିବାରୁ ବାତ୍ୟା ଜନିତ ବର୍ଷା ସାଂଘାତିକ ରୂପ ନେଇପାରେ। ଜୁଲାଇ, ୨୦୧୮ରେ ହୋଇଥିବା ବର୍ଷା ବିତ୍ପାତ ସମୟରେ ରାଜଧାନୀରେ ୨୪ଘଣ୍ଟା ମଧ୍ୟରେ ଦୁଇ ଥର ୨୨୦ମିମି ଏବଂ ୨୭୦ମିମି ବର୍ଷା ହୋଇଥିବାବେଳେ ପୂରା ରଜଧାନୀ ଜଳମଗ୍ନ ହୋଇଯାଇଥିଲା। ସେତେବେଳେ ଡ୍ରେନ୍‌ ଓ ମୁଖ୍ୟ ଡ୍ରେନ୍‌ ସଫା ହୋଇଥିଲେ ହେଁ ଜଳ ନିଷ୍କାସନ ହୋଇପାରି ନଥିଲା। ତେଣୁ ଏବେ ଏହା କିପରି କରାଳ ରୂପ ନେବ ତାହା ରାଜଧାନୀବାସୀଙ୍କ ଚିନ୍ତା ବାହାରକୁ ପଳାଇଲାଣି। ତୁରନ୍ତ ଏହାର ବ୍ୟବସ୍ଥା କରାନଗଲେ ରାଜଧାନୀ ଜଳମଗ୍ନରେ ଉବୁଟୁବୁ ହେବା ସହ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ।