ପାହାଡ଼ ମଝିରେ ଫସିଥିଲେ ମହିଳା, ଦୀର୍ଘ ସମୟ ପରେ ହେଲେ ଉଦ୍ଧାର

ସମ୍ବଲପୁର: ପାହାଡ଼ ମଝିରେ ପଥର ଭିତରେ ଫସିଥିବା ମହିଳା ଉଦ୍ଧାର । ଅକ୍ଲାନ୍ତ ପରିଶ୍ରମ ପରେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମହିଳାଙ୍କୁ ଉଦ୍ଧାର ପରେ ପଡିଆବାହାଲ ସ୍ଥିତ ଡାକ୍ତରଖାନାକୁ ନିଆଯାଇଛି । ଯୁଯୁମୁରା ବ୍ଲକ୍ ଭଣ୍ଡାରୀମାଲ ପାହାଡ଼ ଗୁମ୍ଫାରେ ଫସିଥିଲେ ମହିଳା । ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ ପାଇଁ ଯିବା ବେଳେ ସଂକୀର୍ଣ୍ଣ ଗୁମ୍ଫାରେ ଫସିଥିଲେ । ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରିମାଲ ଗାଁ ଡୁମୁରିସ୍ଥିତ ସୁଡ଼ଙ୍ଗରେ ବୁଧବାର ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫସିଥିବା ମହିଳା ଜଣଙ୍କ ହେଉଛନ୍ତି ୩୫ ବର୍ଷିୟ ସୁଜାତା ମେହେର ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡୁମୁରି ପାହାଡ଼ରେ ଭଣ୍ଡାର ଘରିଏନ ଓ ସପ୍ତଋଷିଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ଯୁଯୁମୁରା ଥାନା ଅନ୍ତର୍ଗତ ମେଘପାଳ ପଞ୍ଚାୟତର ମାରଙ୍ଗବାହାଲ ଗାଁର ବାସିନ୍ଦା ସୁଜାତ ମେହେର ମଧ୍ୟ ଯାଇଥିଲେ। ପୂଜାରେ ଯୋଗଦେବାକୁ ଆସିଥିବା ସୁଜାତା ମଧ୍ୟ ସେହି ସୁଡ଼ଙ୍ଗ ମାଧ୍ୟମରେ ପାରି ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ମଝିରେ ଫସିଯାଇ ବାହାରି ପାରି ନଥିଲେ। ସୁଡ଼ଙ୍ଗର ଭିତରେ ପଥର ଚଟାଣ ଓ ଗଛର ମୂଳ ମଧ୍ୟରେ ସେ ଅଟକି ଯାଇଥିଲେ।