କନ୍ଧମାଳ: ଆଜିବି ଦୁନିଆରେ ଏମିତି ଲୋକ ଅଛନ୍ତି ଯାହାଙ୍କ ପକ୍ଷେ ଦିନକୁ ଦିମୁଠା ଖାଦ୍ୟ ପାଇବା ବହୁ କଷ୍ଟ | ଭିକ୍ଷା ମାଗି କିଏ ଦିନ କାଟନ୍ତି ତ ଆଉ କିଏ ଆହାର ବିନା ପଡି ରୁହନ୍ତି | ନିଜେ ତ ଚଳିବା କଷ୍ଟ ଅନ୍ୟକୁ ବା କଣ ସାହାଯ୍ୟ କରିବେ ସେମାନେ | କିନ୍ତୁ ଏଠି ଜଗନ୍ନାଥଙ୍କ ପାଇଁ ଭିକାରୁଣୀର ରହିଛି ସମର୍ପଣ ମନୋଭାବ । ଆଉ ସେଥି ପାଇଁ ଜାଗାକୁ ଦାନ କରିଛି ଏକ ଲକ୍ଷ ଟଙ୍କା । କୁହାଯାଏ କାଳିଆର ଭାବକୁ ଯିଏ ବୁଝିଛି, ସିଏ ଜାଣିଛି। ଦୀର୍ଘ ବର୍ଷ ଧରି ଭିକ୍ଷା ମାଗି ଯାହା ସଞ୍ଚିଥିଲେ, ଆଜି ସମସ୍ତ ସଞ୍ଜିତ ପୁଞ୍ଜିକୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଛନ୍ତି ତୁଳା ବେହେରା ନାମ୍ନୀ ଜଣେ ବୃଦ୍ଧା ଭିକ୍ଷୁକ। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ଭିକାରୁଣୀ ତୁଳା ବେହେରା ।
ବୟସ ଏବେ ୬୦ରୁ ଉର୍ଦ୍ଧ୍ୱ ହେବ ଏବଂ ସେ ପ୍ରାୟ ୪୦ ବର୍ଷ ଧରି ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ଭିକାରୁଣୀ ତୁଳା ବେହେରା ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରର ଭିକ ମାଗି ସଞ୍ଚୟ କରିଥିଲେ ୧ ଲକ୍ଷ ଟଙ୍କା । ଯେଉଁ ଟଙ୍କାକୁ ୭୦ ବର୍ଷ ବୟସରେ ଜଗା ପାଇଁ ସମର୍ପିତ କରିଛନ୍ତି । ଏହି ଟଙ୍କାରେ ମନ୍ଦିର ପୁନଃଉଦ୍ଧାର କରାଯିବା ସହ ସେଠାରେ ସାଧୁ ସନ୍ଥ ମାନଙ୍କ ପାଇଁ ଭାଙ୍ଗିଯାଇଥିବା ମନ୍ଦିରର କାମ କରାଯିବ ବୋଲି କହିଛନ୍ତି ମନ୍ଦିର ସଭାପତି ।
ଜଗନ୍ନାଥ ମନ୍ଦିର ପରିସରରେ ଥିବା ପୁରୁଣା ମନ୍ଦିର, ଯାହାକି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି,ଏହି ଅର୍ଥରେ ତାର ପୁନରୁଦ୍ଧାର କରି ସେଠାରେ ସାଧୁ ସନ୍ଥ ମାନଙ୍କୁ ଆଶ୍ରୟ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁଳା। ତୁଳାଙ୍କ ଏହି ମହତ କାର୍ଯ୍ୟର ସ୍ୱୀକୃତିସ୍ଵରୂପ ତାଙ୍କୁ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଏଥିସହ ମନ୍ଦିର କମିଟି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବ | ଆଜିର ସ୍ଵାର୍ଥବାଦୀ ଦୁନିଆରେ ତୁଳା ବେହେରାଙ୍କ ଏଭଳି ମହତ କାର୍ଯ୍ୟ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି | ଗୋଟିଏ ଟଙ୍କାରେ ଆଜିର ମଣିଷ ସମାଜକୁ ସମର୍ପଣ କରୁନଥିବାବେଳେ ଭିକ ମାଗି ପେଟ ପୋଷୁଥିବା ଏ ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ପାଇଁ ଦେଇଛନ୍ତି ୧ଲକ୍ଷ ଟଙ୍କା ।