ଭୁବନେଶ୍ୱର- ଏସିଏଫ ସୈାମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ଏହାରି ଭିତରେ କ୍ରାଇମବ୍ରାଞ୍ଜ ଟିମ ପାରଳାଖେମୁଣ୍ଡି ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।ଏହା ସହ ପୁଲିସର ୬ ଜଣିଆ ତଦନ୍ତକାରୀ ଟିମ କପ୍ତିପଦା ଯାଇ ପତ୍ନୀ ବିଦ୍ୟାଭାରତୀ, ତାଙ୍କ ବାପା ଶ୍ରୀହରି ପଣ୍ଡା ଓ ମାଆ ବିଦ୍ୟୁତ ଲତା ପଣ୍ଡାଙ୍କୁ ଜେରା କରୁଛନ୍ତି । ଜେରା ବେଳେ ବିଦ୍ୟା ଭାରତୀଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି ।ସୈାମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏହି ହାତ ଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା ବଢିଛି। ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।

ଗତକାଲି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମୋବାଇଲକୁ ଜବତ କରିଥିଲା ପୁଲିସ । ତେବେ କପ୍ତିପଦାରୁ ପୁଲିସ ଟିମ୍ ଫେରିଲେ ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି । ସେପଟେ ଡିଏଫଓଙ୍କ ଖୋଜଖବର ମିଳୁ ନଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଜେରା କରାଯାଇନଥିବା ଜଣାପଡିଛି। ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଞ୍ଜନଙ୍କ ପରିବାର । ଏସବୁ ଭିତରେ ମୁହଁ ଖୋଲିଥିଲେ ବିଦ୍ୟାଭାରତୀ । ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାଦିନ ଆମ୍ବୁଲାନ୍ସ ଅଟକିବା ଘଟଣାକୁ ବିଦ୍ୟାଭାରତୀ ଖଣ୍ଡନ କରିବା ସହିତ ଟଙ୍କା ଦରକାର ହେବାରୁ ସେ ସରକାରୀ ବଙ୍ଗଳାକୁ ପୁନର୍ବାର ଆସି ସୌମ୍ୟଙ୍କ ଏଟିଏମ୍, ପର୍ସ, ବେଡ୍ସିଟ୍ ଆଣିଥିଲେ ବୋଲି କହିଛନ୍ତି । ଅନ୍ୟପଟେ ବୋହୂ ବିଦ୍ୟାଭାରତୀ, ଡିଏଫ୍ଓ, ରୋଷେୟା ତିନିଜଣଙ୍କୁ ଏକାଠି ଓ ପୃଥକ୍ ଜେରା ସହିତ ତିନି ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ, ଫରେନସିକ୍ ଟେଷ୍ଟ କଲେ ସତକଥା ନିଶ୍ଚୟ ପଦାକୁ ଆସିବ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ।