୧୦ ଚୋରା ମୋବାଇଲ୍‌ ସହ ମାରଣାସ୍ତ୍ର ଜବତ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ବ୍ରହ୍ମପୁର ପୋଲସ ଆନ୍ତରାଜ୍ୟ ଗ୍ୟାଙ୍ଗର ୯ ଡକାୟତଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୮ ଜଣ ଝାଡ଼ଖଣ୍ଡର ଡକାୟତ ଥିବା ବେଳେ ଜଣେ ଭୁବନେଶ୍ୱର ବାଳକାଟି ଅଞ୍ଚଳର । ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଲେଖା ଗୁଳି, ଖଣ୍ଡା, ବୋମା ଓ ଲୁହା ରଡ୍ ଏବଂ ୩୨ଟି ମୋବାଇଲ ଜବତ କରାଯାଇଛି । ସେମାନେ ଆସିଥିବା ଗୋଟିଏ ଅଟୋ ରିକ୍ସାକୁ ପୋଲିସ ଜବତ କରିଛି । ସେଥିରୁ ୧୦ଟି ମୋବାଇଲ ଚୋରା ବୋଲି ଜଣା ପଡିଛି । ଏ ନେଇ ୪ଟି ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି । ମଙ୍ଗଳବାର ମଧ୍ୟରାତିରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ଡକାୟତ ମାନଙ୍କୁ ଜାତୀୟ ରାଜପଥ ୧୬ର ଖଜୁରିଆ ଓଭରବ୍ରିଜ ନିକଟରେ କାବୁ କରିଛି । ଏମାନେ ସେହି ସ୍ଥାନରେ କୌଣସି ଏକ ଡକାୟତିର ଯୋଜନା କରୁଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଛି ।