ଚଣ୍ଡିଗଡ଼ : ବାହାର ରାଜ୍ୟରୁ ଏବେ ପଞ୍ଜାବ ଯାଉଥିବା ଲୋକଙ୍କ ପାଇଁ ବଡ ସୂଚନା । କରୋନାର ଦୁଇଟି ଯାକ ଟିକା ଅଥବା କରୋନା ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଧରିଥିଲେ ଯାଇ ଜଣେ ବ୍ୟକ୍ତି ବାହାର ରାଜ୍ୟରୁ ପଞ୍ଜାବ ଭିତରକୁ ପ୍ରବେଶ କରି ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସୋମବାରଠାରୁ ଏହି ନିୟମ ଲାଗୁ କରାଯିବ । ଆଜି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହି ଘୋଷଣା କରିଛନ୍ତି। ବିଶେଷ କରି ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ କଲେଜ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି। ଯେଉଁ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବେ କିମ୍ବା ନିକଟରେ କରୋନାରୁ ସୁସ୍ଥ ହୋଇଥିବେ, ସେମାନେ ହିଁ କ୍ୟାମ୍ପସ ମଧ୍ୟକୁ ଆସିପାରିବେ। ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବିକଳ୍ପ ମଧ୍ୟ ରହିବ। ସ୍କୁଲ କର୍ତ୍ତୃପକ୍ଷଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ସପକ୍ଷରେ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ସାରା ରାଜ୍ୟରେ ସ୍କୁଲର ସମସ୍ତ କର୍ମଚାରୀ ଓ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ପ୍ରାଥମିକତା ଭାବେ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।