(ରିପୋର୍ଟସ ଟୁଡ଼େ): ଊତ୍କଳ ବିଶ୍ୱବିଦ୍ୟାଳୟରେ ଏକ ନୂଆ ଏକାଡ଼େମୀ ବିଲ୍ଡ଼ିଂ ନିର୍ମାଣ ହେବ । ରୁଷା-୦୨ ପାଣ୍ଠିରୁ ବିଶ୍ୱବିଦ୍ୟାଳୟକୁ ମିଳିଥିବା ୪୦ କୋଟିରୁ ପାଖାପାଖି ୫ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେବ । ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଅନୁମୋଦନ ପରେ ବିଶ୍ୱବିଦ୍ୟାଳୟ କର୍ତୁପକ୍ଷଙ୍କଠାରୁ ସୋମବାର ଏନେଇ ସ୍ପଷ୍ଟ କରାଯାଇଛି ।
ସୂଚନାନୁସାରେ, ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟାଳୟ ପଛରେ ଗୋଟିଏ ପୁରୁଣା ଏକାଡେମୀ ବିଲ୍ଡିଂ ରହିଛି। ଏଥିରେ ବିଶ୍ୱବିଦ୍ୟାଳୟ ଅଧୀନ ୩୬୩ କଲେଜର କାଗଜପତ୍ର ରହିଛି। ଛାତ୍ରୀଛାତ୍ର ଏଠାକୁ ଆସି ସାର୍ଟିଫିକେଟ ନେବାଠାରୁ ଆରମ୍ଭ କରି ବିଭିନ୍ନ ଫାଇଲ୍ କାର୍ୟ୍ୟ ହେଉଛି। ପୁଣି ବିଶ୍ୱବିଦ୍ୟାଳୟକୁ ଆସୁଥିବା ନୂଆ ପ୍ରକଳ୍ପର ଅଫିସ୍ ମଧ୍ୟ ଉକ୍ତ ବିଲ୍ଡିଂରେ କରାଯାଉଛି। ତେବେ ଏଠାରେ ସ୍ଥାନାଭାବ ରହୁଥିବାରୁ ନାନା ସମସ୍ୟା ଉପୁଜୁଛି। ଏହି ବିଲ୍ଡିଂରେ କାର୍ୟ୍ୟ କରୁଥିବା ବିଭିନ୍ନ କାର୍ୟ୍ୟାଳୟଗୁଡିକୁ ନୂଆ ଏକାଡେମୀ ବିଲ୍ଡିଂକୁ ସ୍ଥାନାନ୍ତର କରାଯିବାର ପ୍ରସ୍ତାବ ରହିଛି। ସେହିପରି ବିଶ୍ୱବିଦ୍ୟାଳୟରେ ୨୭ ପିଜି କୋର୍ସ, ୧୨ ସେଲ୍ଫ ଫାଇନାନ୍ସିଂ ଏବଂ ଏମ୍.ଫିଲ୍ ଆଦି କୋର୍ସ ଚାଲିଛି। ଏଥିପାଇଁ ବିଶ୍ୱବିଦ୍ୟାଳୟରେ ଅଧିକ ବିଲ୍ଡିଂର ଆବଶ୍ୟକତା ରହିଛି। ଏହାକୁ ଲକ୍ଷ୍ୟ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ବିଲ୍ଡିଂ ତିଆରି କରିବାକୁ ପଦକ୍ଷେପ ଗ୍ରହଣ କରିଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଜଣାପଡିଛି। ସେପଟେ ବିଶ୍ୱବିଦ୍ୟାଳୟକୁ ୪୦ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ଏଥିରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରୁଷା-୦୨ ପାଣ୍ଠିରୁ ୨୫ କୋଟି ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ବାବଦକୁ ୧୫ କୋଟି ଏଯାଏ ମିଳିନାହିଁ। ଉଚ୍ଚଶିକ୍ଷା ବିଭାଗ ଟଙ୍କା ଦେବା ନେଇ ଫାଇଲ୍ ପ୍ରୋସେସିଂ ଆରମ୍ଭ କରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।