ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଉପରମୁହାଁ ହେବ ପାରଦ। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବା ବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୪ ଦିନ ପର୍ୟ୍ୟନ୍ତ ବଢିବନି ତାତିର ପରିମାଣ ।ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ରାୟଗଡା ଏବଂ କୋରାପୁଟରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ବର୍ଷା ହେବ ସେହି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ। ବାକି ଶୁଖିଲା ଥିବା ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ୯ ତାରିଖ ପର୍ଯ୍ୟନ୍ତ ଏଭଳି ଭାବରେ ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ୧୨ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ।