ସାଲେପୁର – ବିବାହକୁ ବର୍ଷେ ବି ପୁରିନି । ହେଲେ ଭାଗ୍ୟର ବିଡମ୍ବନା ! କେତେବେଳେ ମୃତ୍ୟୁ ଆସେ କେହି ବି କହିପାରିବେ ନାହିଁ । ବାପା ମାଆଙ୍କର ସେ ଥିଲେ ଗୋଟିଏ ପୁଅ ।ବାହାଘରର ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଥିଲା କିନ୍ତୁ ହଠାତ କଣ ହେଲା କେହି କିଛିି ଜାଣିପାରିଲେ ନାହିଁ । ଗୋଟିଏ ଦିନରେ ସ୍ୱାମୀ ଓ ସ୍ତ୍ରୀ ଙ୍କର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ୱାମୀ ତ ଚାଲିଗଲେ ହେଲେ ସ୍ତ୍ରୀ ରହିଗଲା ଅଧାବାଟରେ । ସ୍ତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ମାହାଙ୍ଗା ଥାନା ଗୋତରା ପ୍ରହରାଜପୁର ଗାଁରେ । ମାନସ କୁମାର ବେହେରା ପ୍ରତିଦିନ ଭଳି ଗାଁ ନିକଟସ୍ଥ ଅସୁଲପୁର ବଜାରରେ ଥିବା ନିଜ ଲୁହାକଣ୍ଟା ଦୋକାନକୁ ଯାଇଥିଲେ ହେଲେ ଦୋକାନ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସ୍ୱାମୀର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିବା ସ୍ତ୍ରୀ ଉଷଶ୍ରୀ ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ଠିକ୍ ସମୟରେ ପାଖ ପଡୋଶୀ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଷଶ୍ରୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକା ସମୟରେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ଜଣା ପଡ଼ିନାହିଁ। ଏହି ଘଟଣାରେ ସ୍ଥାନୀୟ ଭଦ୍ରେରେଶ୍ଵର ପୁଲିସ ଫାଣ୍ଡିରେ ଏତଲା ଦିଆଯାଇଛି।