ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା।ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଅଭିଯୋଗ ହାଇକୋର୍ଟରେ  ପ୍ରମାଣିତ ହୋଇଛି। ତେଣୁ ହାଇକୋର୍ଟ ମହମ୍ମଦ ମୋକିମଙ୍କ  ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୁତାବକ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା କୋର୍ଟ କହିଛନ୍ତି। ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ମୋକିମଙ୍କ ନିର୍ବାଚନ ରଦ୍ଦ କରିବାକୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା  ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେହି ଆଧାରରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆବଶ୍ୟକ ଡକ୍ୟୁମେଣ୍ଟ ବି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିବା ବେଳେ କୋର୍ଟ ରାୟ ପ୍ରକାଶ କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ-କଟକ ଆସନ ଫାଙ୍କା ରହିଲା। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହି ପଦ ପାଇଁ ଲଢ଼େଇ ହେବ । ମୋକିମ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ହୋଇଥିବା ବେଳେ ତାଙ୍କର ଦବଦବା ବି ବେଶ୍‌ ରହିଛି। ଏପରି ସ୍ଥିତିରେ ତାଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରାଯିବା ଘଟଣା ମୋକିମଙ୍କ ସମେତ କଂଗ୍ରେସ ଦଳକୁ ବି ଶକ୍ତ ଝଟକା ଦେଇଛି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ଯୋଗୁ କଂଗ୍ରେସ ମହଲରେ ନିରାଶା ଖେଳି ଯାଇଛି।