ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଆଦି ଦେଶ ବିଦେଶରେ ପରିଚିତ ହେବା ସହିତ ଓଡ଼ିଶାବାସୀଙ୍କ ନିମନ୍ତେ ସାତ ଦରିଆ ପାରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛି । ଆମ ଭାଷା ଆମର ପରିଚୟ ଓ ଗୌରବ । ତେବେ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ ତାଙ୍କ ଟ୍ୱିଟର ପେଜରେ ଟ୍ୱିଟ କରି ଲେଖିଛନ୍ତି ଯେ, ଆଜିର ଦିନରେ ଆମ ମାତୃଭାଷା ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପଛରେ ଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବଦାନକୁ ସ୍ମରଣ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା ପାଇଁ ସେ ସମସ୍ତ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ।
ଆମ ଭାଷା ଆମର ପରିଚୟ ଓ ଗୌରବ। ଆଜିର ଦିନରେ ମାତୃଭାଷା ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପଛରେ ଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବଦାନକୁ ସ୍ମରଣ କରି ଆସନ୍ତୁ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। pic.twitter.com/D7jKhxR9qR
— Naveen Patnaik (@Naveen_Odisha) March 11, 2022
ସୂଚନା ଅନୁଯାୟୀ, ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶାସ୍ତ୍ରୀୟ ଭାଷା ଉପଦେଷ୍ଟା କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିଲା । ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ ।

ଓଡ଼ିଆ ଭାଷା, ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସଭାସମିତି ଆୟୋଜନ, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଇତ୍ୟାଦିର କାର୍ଯ୍ୟକ୍ରମ ଆୟୋଜନ ହୁଏ । ଏପରି ଆୟୋଜନ ଫଳରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବାବଦରେ ଓଡ଼ିଶାବାସୀ ବିଶେଷ ଭାବରେ ସଚେତନ ହେବା ଏବଂ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚଳନରେ ଉତ୍ସାହଜନକ ପରିବେଶ ସୃଷ୍ଟି କରିବା ହେଉଛି ଏହି ଦିନର ମୂଳ ଲକ୍ଷ ।