ବାଙ୍କୋଇ ଅଞ୍ଚଳରେ ସଫଳ ହେଲା ଉଦ୍ଧାର କାର୍ଯ୍ୟ…

ବାଙ୍କୋଇ ଅଞ୍ଚଳରେ ସଫଳ ହେଲା ଉଦ୍ଧାର କାର୍ଯ୍ୟ । ଗତ ସେପ୍ଟେମ୍ବର ୧୦ ତାରିଖରେ ଖୋର୍ଦ୍ଧା ପୋଲିସ ୨ ଜଣ ଅପହୃତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୨ ବ୍ୟକ୍ତିଙ୍କୁ ୭ ଜଣ ଦୁବୁର୍ତ୍ତ ତିନୋଟି ବାଇକରେ ଆସି ଦୁଇ ଜଣଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଅଭିଯୋଗ ହୋଇଛି।
ସୂଚନା ମୁତାବିକ ଅଭିଯୁକ୍ତମାନେ ଅପହୃତ ବ୍ୟକ୍ତିମାନଙ୍କୁ ପଟାବନ୍ଧା ଡ୍ୟାମ୍ ସ୍ଥାନକୁ ନେଇଯାଇଥିଲେ। କୈାଣସି ସୁତ୍ରରୁ ସୂଚନା ପାଇ ବୋଲଗଡ଼ ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଦଳ ଏସ୍ପି ଏବଂ ଏସ୍ଡିପିଓଙ୍କୁ ଜଣାଇ ଘଟଣାସ୍ଥଳକୁ ଯାଇଥିଲେ। ଖୋର୍ଦ୍ଧା ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏକ ପ୍ଲାଟୁନ୍ ଫୋର୍ସ ସହିତ ପହଞ୍ଚି ଅପହୃତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପିଛା ଆରମ୍ଭ କରିଥିଲେ।ସେପଟେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଅପହୃତ ବ୍ୟକ୍ତିମାନଙ୍କୁ ବାଲିଆପାଟ ଜଙ୍ଗଲ ନିକଟରେ ଛାଡି ଦେଇଥିଲେ। ଯେଉଁଠାରେ ପୋଲିସ ଦଳ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ପିଛା କରିବା ସମୟରେ ଅଭିଯୁକ୍ତମାନେ ପୋଲିସକୁ ଭୟଭୀତ କରିବା ପାଇଁ ଗୁଳି ଚଳାଇଥିଲେ। କିନ୍ତୁ ଫତେଗଡ଼ (ନୟାଗଡ଼) ପୋଲିସ ସହାୟତାରେ କରଡାପାଲ ଗ୍ରାମ ଜଙ୍ଗଲ ଭିତରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ବ୍ୟବହୃତ ଦୁଇଟି ବାଇକ୍, ରକ୍ତ ଲଗା ପୋଷାକ ଏବଂ ଅନ୍ୟାନ୍ୟ ପ୍ରମାଣ ସହିତ ଉଦ୍ଧାର କରାଯାଇଛି। ପୀଡିତ ମାନଙ୍କୁ ଚିକିତ୍ସା ପାଇଁ AIIMSକୁ ପଠାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।ଖୋର୍ଦ୍ଧା ପୋଲିସ ଏବଂ ଫତେଗଡ଼ (ନୟାଗଡ଼) ପୋଲିସ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଯୋଗୁଁ ଏହି ଅଭିଯାନ ସଫଳ ହୋଇଥିଲା। ଆଇଆଇସି ମଡେଲ ପିଏସ, ସଦର ଆଇଆଇସି ଏବଂ ଖୋର୍ଦ୍ଧା ଆରଆଇ ସମେତ ବରିଷ୍ଠ ଅଧିକାରୀମାନେ ଉଦ୍ଧାର କାର୍ୟ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୋଲିସ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।