(ରିପୋର୍ଟସଟୁଡେ): ଆପଣ ଅଧିକ ସମୟ ଶୋଉଛନ୍ତି କି ତେବେ ସାବଧାନ ହୋଇଯାଆନ୍ତୁ । ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ।
‘ହଫିଙ୍ଗଟନ ପୋଷ୍ଟ ୟୁକେ’ ମୁତାବକ ଏହି ଅଧ୍ୟୟନରେ ସାରା ଦୁନିଆରୁ ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଗବେଷଣାରୁ ଜଣା ପଡ଼ିଛି ଯେ ଅଧିକ ସମୟ ଶୋଇଲେ ହୃଦୟଜନିତ ରୋଗ ଏବଂ ହୃଦଘାତ ହେବାର ବିପଦ ଅଧିକ ବଢିଥାଏ।
ତେଣୁ ଅଧିକ ଶୋଇବାର ଅର୍ଥ ଲୋକେ କମ ବାୟାମ କରୁଛନ୍ତି, ଯେଉଁଥିରେ ହୃଦୟଜନିତ ସମସ୍ୟା ବଢିବାର ଆଶଙ୍କା ଅଧିକ ରହିଥାଏ। ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଯେଉଁ ଲୋକ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇଥାନ୍ତି ସେମାନଙ୍କ ଭିତରେ ଏହି ଧରଣ ବିପଦର ଆଶଙ୍କା କମ ରହିଥାଏ। ମାତ୍ର ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଲୋକଙ୍କ କମ ନିଦ ଆସିଥାଏ ସେମାନଙ୍କ ପାଇଁ ରୋଗ ଓ ମୃତ୍ୟୁର ବିପଦ ଧୀରେ ଧୀରେ ବଢିଥାଏ, ମାତ୍ର ଏହା ଅଧିକ ସମୟ ଶୋଉଥିବା ଲୋକଙ୍କଠୁ କମ ରହିଥାଏ।
ଅଧ୍ୟୟନ ମୁତାବକ ଯେଉଁ ଲୋକ ରାତିରେ ୯ ଘଣ୍ଟା ଶୋଉଛନ୍ତି ସେମାନଙ୍କ ମୃତ୍ୟୁହାର ୧୪ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁ ଲୋକ ୧୦ ଘଣ୍ଟା ଶୋଉଛନ୍ତି ସେମାନଙ୍କର ୩୦ ପ୍ରତିଶତ ଏବଂ ୧୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ରହିଛି।