ବଢୁଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଲେ ସାଇ ପଲ୍ଲବୀ

ସାଉଥ ବିୟୁଟି ସାଇ ପଲ୍ଲବୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି

(ମୁମ୍ବାଇ) : ସାଉଥ ବିୟୁଟି ସାଇ ପଲ୍ଲବୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ସେ ଏବେ ବିବାଦ ଭିତରେ ଫସିଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଫିଲ୍ମ ‘ବିରାଟ ପର୍ବମ୍‌’ର ପ୍ରମୋସନ ବେଳେ ଏକ ଇଣ୍ଟରଭ୍ୟୁରେ ସାଇ ପଲ୍ଲବୀଙ୍କ କଶ୍ମୀର ପଣ୍ଡିତକୁ ନେଇ ଦେଇଥିବା ବୟାନ ଲାଗି ଚାରିଆଡୁ ବିରୋଧ କରାଯାଉଛି। ଏପରିକି ଅଭିନେତ୍ରୀଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ବିବାଦ ବୃଦ୍ଧି ପାଉଥିବାରୁ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଜଣକ ।

 

 ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ନିଜ କଥାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଦେଇଥିବା ବୟାନକୁ ଭୁଲ୍‌ ରୂପେ ସମସ୍ତଙ୍କ ଆଖରେ ରଖାଯାଇଛି ବୋଲି କହିବା ସହ ସେ ଯାହା କହିବାକୁ ଚାହୁଁଥିଲେ ତାହା ଲୋକଙ୍କ ଆଖରେ ରଖଯାଇନଥିବା ସଇ ପଲ୍ଲବୀ ଅଭିଯୋଗ କରିଛନ୍ତି । ହିଂସା ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ମହାପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟ ଏହା ହିଁ ଥିଲା। ଭାଇରାଲ୍ ହେଉଥିବା ଭିଡିଓରେ ମୋ ସାକ୍ଷାତକାରର ଗୋଟେ ଛୋଟ କ୍ଲିପ୍‌କୁ ନେଇ ବଢ଼ାଇ ଚଢ଼ାଇ ଭୁଲ୍‌ ତଥ୍ୟ ଦିଆଯାଇଛି । ତେବେ ଏହାକୁ ଭୁଲ୍ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଛି।’ ଅନ୍ୟପକ୍ଷରେ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 

ସୂଚନାନୁଯାୟୀ , ସାଇ ପଲ୍ଲବୀଙ୍କର ଯେଉଁ ଛୋଟ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା ସେଥିରେ ସେ ମବ ଲିଞ୍ଚିଂ ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ ବୋଲି କହିଥିଲେ। ସେ କହିଥିଲେ- ‘ଦ କଶ୍ମୀର ଫାଇଲ୍ସ ଫିଲ୍ମରେ ଦେଖାଯାଇଛି ଯେ କଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କ’ଣ ପ୍ରଭେଦ ରହିଛି ?’ ତେବେ ଏହି କ୍ଲିପ ଭାଇରଲ ପରେ ଚାରିଆଡୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା।