ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ମନ କଲେଣି ସଚିନ

ବ୍ୟୁରୋ : ରାଜସ୍ଥାନ କଂଗ୍ରେସକୁ ପୁଣି ଘାରିଛି ପୁରୁଣା ରୋଗ । ସଚିନ ପାଇଲଟଙ୍କୁ ଧରିଲାଣି ମୁଖ୍ୟମନ୍ତ୍ରୀ ହେବାର ନିଶା । ଏପରିକି ସେ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖାକରିଛନ୍ତି । ସଚିନଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଆସ୍ଥା ପ୍ରକଟ କରିଛନ୍ତି । ଦେଢ ବର୍ଷ ପରେ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ ଏହା ପୂର୍ବରୁ ସଚିନ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି । ପୂର୍ବରୁ ମଧ୍ୟ ସଚିନ ନିଜ ସମର୍ଥକଙ୍କୁ ଧରି ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ହାଇକମାଣ୍ଡଙ୍କ ବୁଝା ସୁଝା ପରେ ସଚିନ ଚୁପ ହୋଇଥିଲେ । କିନ୍ତୁ ଏବେ ସଚିନ କହିଛନ୍ତି ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ନକରାଯାଏ ତେବେ ରାଜସ୍ଥାନରେ ପଞ୍ଜାବର ପରିସ୍ଥିତି ସୃଷ୍ଟି ହେବ । ସଚିନ ଏ ସମ୍ପର୍କରେ ଅଲଗା ଅଲଗା ଭାବରେ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ଦେଖା କରିଥିଲେ ।

ସୂଚନାନୁଯାୟୀ ସଚିନ ହାଇକମାଣ୍ଡଙ୍କୁ ଏ ବିଷୟରେ ଶୀଘ୍ର ନିସ୍ପତ୍ତି ନେବା ପାଇଁ କହିଛନ୍ତି । ଏହା ଛଡା ସଚିନ ଅନ୍ୟ କୋଣସି ପଦକ୍ଷେପ ଗ୍ରହଣ କରିବାର ଆଶଙ୍କା ମଧ୍ୟ ରହିଛି । ସଚିନଙ୍କୁ ଦଳ ପକ୍ଷରୁ ସାଧାରଣ ସମ୍ପାଦକ ପଦବୀ ପାଇଁ କୁହାଯାଇ ଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ସଚିନ କହିଛନ୍ତି ମୁଁ ରାଜସ୍ଥାନ ବାସୀ ଓ ସମର୍ଥକଙ୍କ ପାଇଁ କାମ କରିବାକୁ ଚାହେଁ । ବର୍ତ୍ତମାନ ସୋନିଆ ଗାନ୍ଧୀ ସାଧାରଣ ଲୋକ ଓ ସମର୍ଥକଙ୍କ ମତାମତକୁ ଅପେକ୍ଷା କରିଛନ୍ତି । ମେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ଉଦୟପୁର ଠାରେ ଚିନ୍ତନ ବୈଠକ କରି ସେଥିରେ ସଚିନଙ୍କୁ ନିଜର ସ୍ପଷ୍ଟ ଆଭିମୁଖ୍ୟ ଜଣାଇବେ ।