ମଙ୍ଗଳବାର ଦିନ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପୁରୁଷ ୫୦୦୦ ମିଟର ଫାଇନାଲ୍ରେ ବ୍ରୋଞ୍ଜ ପଦକ ଜିତି ଭାରତର ଗୁଲବୀର ସିଂହ ଏସୀୟ କ୍ରୀଡ଼ା ୨୦୨୬ରେ ପଦକର ‘ହ୍ୟାଟ୍ରିକ୍’ ପୂରଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ଏକ କଡ଼ା ମୁକାବିଲାପୂର୍ଣ୍ଣ ଦୌଡ଼ରେ ଗୁଲବୀର ୧୩:୩୨.୭୫ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ସେ ଏହି କ୍ରୀଡ଼ାର ୧୦,୦୦୦ ମିଟର ଏବଂ ୧୫୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ, ଯାହା ସହିତ ଏହି ନୂତନ ପଦକ ଯୋଡ଼ି ହୋଇଛି। ଏହି ସଫଳତା ସହିତ ଗୁଲବୀର ଗତ ୪୦ ବର୍ଷ ମଧ୍ୟରେ ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ତିନୋଟି ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଆଥଲେଟ୍ ତଥା ବର୍ତ୍ତମାନର ଭାରତୀୟ ଅଲିମ୍ପିକ୍ ସଂଘ (IOA) ମୁଖ୍ୟ ପି.ଟି. ଉଷା ୧୯୮୬ ସିଓଲ୍ ଏସୀୟ କ୍ରୀଡ଼ାରେ ଚାରୋଟି ପଦକ ଜିତିଥିଲେ।

୫୦୦୦ ମିଟର ଫାଇନାଲ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଲବୀର ଅଗ୍ରଣୀ ଦୌଡ଼ାଳିଙ୍କ ଗୋଷ୍ଠୀ ସହିତ ରହିଥିଲେ ଏବଂ ପ୍ରଥମ ୨୦୦୦ ମିଟର ପରେ ତୃତୀୟ ସ୍ଥାନରେ ଥିଲେ। ଦୌଡ଼ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରିବା ସମୟରେ ସେ ନିଜ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ଶୀର୍ଷ ଦୁଇଟି ସ୍ଥାନ ପାଇଁ ଆହ୍ୱାନ ଦେଇପାରିନଥିଲେ। ବାହାରିନର ବିରହାନୁ ବାଲେଭ୍ ୧୩:୩୦.୭୯ ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନର ୟାମାଗୁଚି ଟୋମୋନୋରି ୧୩:୩୧.୪୩ ସମୟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ଗୁଲବୀର ପୁରୁଷ ୧୦,୦୦୦ ମିଟର ଇଭେଣ୍ଟରେ ଏକ ସ୍ମରଣୀୟ ପ୍ରଦର୍ଶନ କରି ୨୮:୨୯.୩୮ ସମୟ ସହିତ ରୌପ୍ୟ ପଦକ ଜିତିଥିଲେ ଏବଂ ଏହି ଇଭେଣ୍ଟରେ ଦୁଇଟି ଏସୀୟ କ୍ରୀଡ଼ା ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ସେ ପୂର୍ବରୁ ୨୦୨୩ ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ୧୦,୦୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଏହା ପରେ ସେ ପୁରୁଷ ୧୫୦୦ ମିଟର ଇଭେଣ୍ଟରେ ନିଜର ସର୍ବୋତ୍ତମ ପ୍ରଦର୍ଶନ (୩:୩୬.୭୨) ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରି ଆଉ ଏକ ରୌପ୍ୟ ପଦକ ହାସଲ କରିଥିଲେ ନାଗୋୟାରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଗୁଲଭୀର ତାଙ୍କର ତୃତୀୟ ପଦକ ହାସଲ କରି ଏକ ଚମତ୍କାର ଅଭିଯାନ ଶେଷ କରିଛନ୍ତି; ଏହି ଦୂରଗାମୀ ଦୌଡ଼ାଳି (distance runner) ତିନୋଟି ଭିନ୍ନ ଭିନ୍ନ ଇଭେଣ୍ଟରେ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି। ମହିଳା ୮୦୦ ମିଟର ଫାଇନାଲ୍ରେ ଭାରତର ପୂଜା ଓଲା ୨:୦୬.୭୨ ସମୟ ସହିତ ସପ୍ତମ ସ୍ଥାନରେ ରହିଥିଲେ। ଚୀନ୍ର ୱୁ ହୋଙ୍ଗଜିଆଓ ୨:୦୪.୪୯ ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପୁରୁଷ ୮୦୦ ମିଟର ଫାଇନାଲ୍ରେ ମହମ୍ମଦ ଅଫସଲ ପୁଲିକ୍କାଲାକାଥ୍ଙ୍କ ପାଇଁ ମଧ୍ୟ ପ୍ରତିଯୋଗିତାଟି କଷ୍ଟକର ରହିଥିଲା ଏବଂ ସେ ୧:୪୮.୨୭ ସମୟ ସହିତ ଅଷ୍ଟମ ସ୍ଥାନରେ ରହିଥିଲେ। ୨୦୨୩ ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଏହି ଭାରତୀୟ ଖେଳାଳି ନାଗୋୟାରେ ସେହି ସଫଳତାର ପୁନରାବୃତ୍ତି କରିପାରିନଥିଲେ। ଜାପାନର କୋ ଓଚିଆଇ ୧:୪୪.୪୮ ସମୟ ସହିତ ପୁରୁଷ ୮୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ସେ ଏକ ନୂତନ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଥିଲେ ଏବଂ ଇରାନର ସଜାଦ ମୋରାଦିଙ୍କ ୧୬ ବର୍ଷ ପୁରୁଣା ରେକର୍ଡ (୧:୪୪.୭୪) ଭାଙ୍ଗିଥିଲେ।