ସୁପ୍ରିମକୋର୍ଟରେ ସୁଶାନ୍ତ ନାଥଙ୍କ ସତ୍ୟପାଠ ଖୋଲିଲା ୧୦ ବର୍ଷ ତଳର ସିସୋର ଫାଇଲ୍

ଓଡ଼ିଶା ପୋଲିସ ଡିଜି ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଡିଜି ପଦର ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ଆର୍‌ପି କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ସିସୋର୍ ଚିଟ୍‌ଫଣ୍ଡ ମାମଲା ସମ୍ପର୍କିତ ପୁରୁଣା ସିବିଆଇ ତଦନ୍ତର ପ୍ରସଙ୍ଗ ଉଠାଇଛନ୍ତି। ଏହା ସହ ଡିଜି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସୁଶାନ୍ତ ନାଥଙ୍କ ଦାବି ଅନୁଯାୟୀ, ସିବିଆଇ ତାଙ୍କୁ କୌଣସି ମାମଲାରେ ଜେରା କରିନାହିଁ। ତାଙ୍କୁ ପଠାଯାଇଥିବା ଚିଠିରେ କେବଳ ଆବଶ୍ୟକ ହେଲେ ତଦନ୍ତରେ ସାମିଲ କରାଯାଇପାରେ ବୋଲି ଉଲ୍ଲେଖ ଥିଲା। ତେବେ ଏହି ସିବିଆଇ ଚିଠିକୁ ଆଧାର କରି ରାଜ୍ୟ ସରକାର ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ଏହାର ପ୍ରତିପକ୍ଷରେ, ଶ୍ରୀ ନାଥ ସତ୍ୟପାଠରେ ଦାବି କରିଛନ୍ତି ଯେ ଡିଜି ପଦ ପାଇଁ ରାଜ୍ୟ ସରକାର ଯେଉଁ ଆର୍‌ପି କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାମ ୟୁପିଏସ୍‌ସିକୁ ପଠାଇଛନ୍ତି, ସେମାନଙ୍କୁ ୨୦୧୬ରେ ସିସୋର୍ ଚିଟ୍‌ଫଣ୍ଡ ମାମଲା ସମ୍ପର୍କରେ ସିବିଆଇ ପଚରାଉଚରା କରିଥିଲା। ତେବେ ଏହି ତଥ୍ୟ ସମ୍ପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟ କିମ୍ବା ୟୁପିଏସ୍‌ସିକୁ ଅବଗତ କରିନଥିବା ସୁଶାନ୍ତ ନାଥ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଓପିଆର୍‌ବି ପରୀକ୍ଷାରେ ଶ୍ରୀ ନାଥଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟ ସରକାର ଉଠାଇଥିବା ପ୍ରଶ୍ନର ମଧ୍ୟ ସେ ଜବାବ ରଖିଛନ୍ତି। ତାଙ୍କ ସତ୍ୟପାଠ ଅନୁଯାୟୀ, ଏହି ମାମଲାରେ ସିବିଆଇ ତିନିଟି ଚାର୍ଜସିଟ୍ ଦାଖଲ କରିଛି। ପ୍ରଥମ ଚାର୍ଜସିଟ୍‌ରେ ୧୬ ଜଣଙ୍କ ନାମ ଥିବାବେଳେ ପରବର୍ତ୍ତୀ ଦୁଇଟି ଚାର୍ଜସିଟ୍‌ରେ ଆଉ ତିନି ଅଭିଯୁକ୍ତଙ୍କ ନାମ ରହିଛି। କିନ୍ତୁ ଏହି ଚାର୍ଜସିଟ୍‌ଗୁଡ଼ିକରେ ଓପିଆର୍‌ବିର କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ନାମ ନଥିବା ଏବଂ ତାଙ୍କ ବିରୋଧରେ ମଧ୍ୟ କୌଣସି ପ୍ରମାଣ ମିଳିନଥିବା ସୁଶାନ୍ତ ନାଥ ଦର୍ଶାଇଛନ୍ତି।

ଏହି ସତ୍ୟପାଠରେ ଓଡ଼ିଶା ହାଇକୋର୍ଟଙ୍କ ଏଏସ୍‌ଓ ପରୀକ୍ଷା ବାତିଲ୍ ନିଷ୍ପତ୍ତି ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଉଠାଯାଇଛି। ଫଳରେ ଡିଜି ନିଯୁକ୍ତି ପ୍ରସଙ୍ଗରେ ଏବେ ମୁହାଁମୁହିଁ ହୋଇଛି ଦୁଇଟି ପ୍ରମୁଖ ପ୍ରଶ୍ନ—ସିବିଆଇ ନୋଟିସ୍ ଆଧାରରେ ଜଣେ ଅଧିକାରୀଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର ଯୁକ୍ତିସଙ୍ଗତ କି ନୁହେଁ ଏବଂ ଅନ୍ୟ ଦାବିଦାରଙ୍କ ପୁରୁଣା ସିବିଆଇ ପଚରାଉଚରା ସମ୍ପର୍କିତ ତଥ୍ୟ ଚୟନ ପ୍ରକ୍ରିୟାରେ କେତେଦୂର ପ୍ରାସଙ୍ଗିକ। ଏହାର ଜବାବ ଏବେ ସୁପ୍ରିମକୋର୍ଟର ଶୁଣାଣି ଉପରେ ନଜର ରଖିଛି।