ମାଲ୍ୟାଙ୍କ ଫାଇଲର ଏକ ଦସ୍ତାବିଜ ଉଭାନ: ଅଗଷ୍ଟ ୨୦ ଯାଏଁ ପୁନର୍ବିଚାର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁନର୍ବିଚାର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଅଗଷ୍ଟ ୨୦ ତାରିଖକୁ ସ୍ଥଗିତ ରଖିଛନ୍ତି । ମାଲ୍ୟାଙ୍କ ଫାଇଲରୁ ଏକ ଦସ୍ତାବିଜ ନ ଥିବାରୁ କୋର୍ଟ ଶୁଣାଣିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେ ସୁପ୍ରିମକୋର୍ଟ ଆଦେଶ ବିରୋଧରେ ଯାଇ ନିଜ ସମ୍ପତ୍ତି ନିଜ ପରିବାର ନାଁରେ ଟ୍ରାନ୍ସଫର କରିଥିଲେ । ୨୦୧୭ ମସିହାରେ ସୁପ୍ରିମକୋର୍ଟଙ୍କ ଅବମାନନା ମାମଲାରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଫାଇଲରେ ଏକ ଦସ୍ତାବିଜ ମିଳୁନାହିଁ । ଯେଉଁଥିପାଇଁ ଗୁରୁବାର ଦିନ ଶୁଣାଣି ହୋଇପାରିନାହିଁ । ୩ ବର୍ଷ ପୂର୍ବରୁ ମାଲ୍ୟା ପୁନର୍ବିଚାର ପାଇଁ ଆବେଦନ ଦାଏର କରିଥିଲେ । ତାହାର ଶୁଣାଣି ପାଇଁ ଗୁରୁବାର ଦିନକୁ ସ୍ଥିର କରାଯାଇଥିଲା । ଗତ ମାସରେ ମାଲ୍ୟାଙ୍କ ଆବେଦନ ବିଳମ୍ବରେ ତାଲିକାଭୁକ୍ତ କରାଯାଇଥିବାରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୭ ମସିହାରେ ଦିଆଯାଇଥିବା ଆଦେଶର ୩ ବର୍ଷ ପରେ ରିଭ୍ୟୁ ପିଟିସନ ସାମ୍ନାକୁ ଆସିଥିଲା । କୋର୍ଟ ରେଜିଷ୍ଟ୍ରିକୁ ପଚାରିଥିଲେ ଯେ ଏବେ ଯାଏଁ ପିଟିସନ କାହିଁକି ସାମ୍ନାକୁ ଅଣାଯାଇନଥିଲା । କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାରେ ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ କହିଥିଲେ । କୋର୍ଟ ଏହି ମାମଲାରେ ରେଜିଷ୍ଟ୍ରି ତାଲିକାଭୁକ୍ତ କରିବାରେ ଭେଦଭାବ କରୁଥିବା ଅଭିଯୋଗ କରି ଜଣେ ଓକିଲଙ୍କୁ ଭର୍ତ୍ସନା କରିଥିଲେ । ମାଲ୍ୟା ୨୦୧୬ ମସିହାରୁ ବ୍ରିଟେନରେ ଅଛନ୍ତି ।