ପୁରୀ: ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଧାଡ଼ି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହାଦ୍ବାରା ଭିଡ଼ ନିୟନ୍ତ୍ରଣ ହୋଇପାରିବ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ହେବ । ୩/୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ । ପ୍ରଥମ ବୈଠକରେ ହୁଣ୍ଡି ସିଫ୍ଟ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଅବଢା ଦର ଚାର୍ଟ କାମ ସରିଛି, ମନ୍ଦିର ପ୍ରଶାସନ ସୁଆର ନିଯୋଗ ସହ ଆଲୋଚନା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ସମୟରେ ପ୍ରବଳ ଭିଡ଼ ହେଉଛି। ଭକ୍ତ ଠେଲାପେଲାରେ ଆହତ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ନୂତନ ସରକାର ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗତ ବର୍ଷ କାର୍ତ୍ତିକ ମାସ ପରେ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ବାହାର କାଠ ବା ନାଟମଣ୍ଡପରେ ଶ୍ରଦ୍ଧାଳୁମାନେ ଯେଭଳି ବିନା ଠେଲାପେଲାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ନକ୍ସା ପ୍ରସ୍ତୁତ କରାଯାଇ ପୁରୁଷ, ଦିବ୍ୟାଙ୍ଗ, ମହିଳା, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୃଥକ୍ ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଥିଲା। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ ୬ଟି ଧାଡ଼ିରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ଼ ଦେଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଥିଲା।