ଭୁବନେଶ୍ୱର: ଅଗଷ୍ଟ ୧୬ରୁ ବସ ଚଳାଚଳ ବନ୍ଦ ଧମକ ଦେଲା ଘରୋଇ ବସ ମାଲିକ ସଂଘ। ବିଭିନ୍ନ ଗ୍ରାମାଞ୍ଚଳକୁ ମୋ ବସ ଚଳାଚଳ କରିବା ଦ୍ଵାରା ଘରୋଇ ବସ ମାଲିକମାନଙ୍କର କ୍ଷତି ହେଉଛି । ଏହା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । କେବଳ ସହରାଞ୍ଚଳରେ ମୋ ବସ ଚଳାଚଳ କରିବା ନେଇ ନିୟମ ହୋଇଛି । କିନ୍ତୁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ମୋ ବସ ଚଳାଚଳ କରୁଛି । ଏହାକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ । ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ କରନ୍ତୁ । ନହେଲେ ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ ହେବ । ରାଜ୍ୟ ଘରୋଇ ବସ ମାଲିକ ସଂଘ ଏହି ଚେତାବନୀ ଦେଇଛି ।
ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ବରାଦ ଆଚାର୍ୟ୍ୟ କହିଛନ୍ତି ଯେ, ସଂଘର ଏକ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ ମାଲିକମାନେ ଯୋଗଦେଇଥିଲେ । ଏଥିରେ ମୋ ବସ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଛି । ଏହା ପରେ ବସ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ ମୋ ବସଗୁଡ଼ିକ ବିନା ପରମିଟ ଓ ବିନା କାଗଜପତ୍ରରେ ବିଭିନ୍ନ ରୁଟରେ ଚଳାଚଳ କରୁଛି । ଏହା ଦ୍ଵାରା ସେହି ରୁଟରେ ଚଳାଚଳ କରୁଥିବା ଘରୋଇ ମାଲିକଙ୍କ ବସ ଗୁଡ଼ିକର ଘୋର ଆର୍ଥିକ କ୍ଷତି ହେଉଛି ।
ସେହିପରି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଏଥିରେ ଗ୍ରାମାଞ୍ଚଳରୁ ବ୍ଲକ ମୁଖ୍ୟାଳୟ ଓ ସହରାଞ୍ଚଳକୁ ବସ ଯାତାୟତ କରିବ ।
ଏହା ଦ୍ଵାରା ଅରାଜକତା ସୃଷ୍ଟି ହେବ । ଏବେ ରାସ୍ତାରେ ପର୍ୟ୍ୟାପ୍ତ ଘରୋଇ ବସ ଚଳାଚଳ କରୁଛି । ଲକ୍ଷ୍ମୀ ଯୋଜନାରେ ବସ ଚାଲିଲେ ଅସ୍ବାସ୍ଥ୍ୟକର ପ୍ରତିଦ୍ବନ୍ଦ୍ବତା ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ତେଣୁ ସଂଘ ନିଷ୍ପତ୍ତି ନେଇଛି ଯେ, ବସ ମାଲିକମାନେ ସେମାନଙ୍କର ବସ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଦେବେ । ରାଜ୍ୟ ସରକାର ଯେଉଁ ଢାଞ୍ଚାରେ ମୋ ବସ ଚଳାଚଳ କରୁଛନ୍ତି ସେହି ପ୍ରଣାଳୀରେ ଘରୋଇ ବସକୁ ଅଧିଗ୍ରହଣ କରି ଚଲାନ୍ତୁ । ଘରୋଇ ବସର କର୍ମଚାରୀଙ୍କୁ ଦରମା ଦିଅନ୍ତୁ । ନଚେତ ଅଗଷ୍ଟ ୧୬ ତାରିଖରୁ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ ।