ଅହେତୁକ ତୈଳଦର ବୃଦ୍ଧି ପାଇଁ ବିଜେଡ଼ି କରିବ ପ୍ରତିବାଦ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଭାରତବର୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ସାଢେ ୪ ବର୍ଷରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଲଗାତାର ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି । ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮.୦୨ ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ ଟଙ୍କାରେ ପହଂଚିଛି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୭,୮ ଓ ୯ ତାରିଖ ପର୍ୟ୍ୟାୟକ୍ରମେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ୟ୍ୟକ୍ରମ କରାଯିବ । ରାଜ୍ୟରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ସେହିଦିନ ସକାଳ ୧୦ ଘଟିକାରୁ ୧୨ ଘଟିକା ପର୍ୟ୍ୟନ୍ତ ପର୍ୟ୍ୟାୟକ୍ରମେ ପ୍ରତିବାଦ କରାଯିବ । ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡିର ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ୟ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହାକୁ ସଫଳ କରାଇବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।