ଭାରତ ଉପରେ ପଡ଼ିବ କି ବଡ଼ ପ୍ରଭାବ?
ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ !
ପଶ୍ଚିମ ଏସିଆରେ ଚାଲିଥିବା ସାତ ମାସର ଭୟଙ୍କର ଯୁଦ୍ଧ ଏବେ ସାରା ବିଶ୍ୱକୁ ଏକ ଗମ୍ଭୀର ତୈଳ ସଙ୍କଟ ଆଡ଼କୁ ଠେଲି ଦେଇଛି । ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ସାଉଦି ଆରବ ଏବେ ଏହି ସଙ୍କଟର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ଗ୍ଲୋବାଲ ଅଏଲ ସପ୍ଲାଏ ଚେନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ଫେବ୍ରୁଆରି ୨୮ ତାରିଖରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଥିବା ବେଳେ, ସେପ୍ଟେମ୍ବର ୧୦ ରେ ପୂର୍ବ-ପଶ୍ଚିମ ପାଇପଲାଇନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବର ଅଶୋଧିତ ତୈଳ ରପ୍ତାନିର ପଶ୍ଚିମ ପଥ ମଧ୍ୟ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୦୯.୪ ଡଲାରରେ ପହଞ୍ଚିଛି । ଅନ୍ୟପଟେ ଆମେରିକାରେ ‘ଗ୍ରାହାମ୍ ଆଇନ’ ମାଧ୍ୟମରେ ରୁଷ ଓ ଇରାନ ଉପରେ କଟକଣା କଡ଼ାକଡ଼ି କରାଯାଉଥିବାରୁ, ଦୈନିକ ୧୬ ରୁ ୧୭ ନିୟୁତ ବ୍ୟାରେଲ୍ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ସଙ୍କଟର ସିଧାସଳଖ ପ୍ରଭାବ ଆମେରିକା ବଜାରରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ସେଠାରେ ପେଟ୍ରୋଲ ମୂଲ୍ୟ ପ୍ରତି ଗ୍ୟାଲନ୍ ୪.୩୦ ଡଲାର ଏବଂ ଡିଜେଲ ମୂଲ୍ୟ ୬.୭୫ ଡଲାରରେ ପହଞ୍ଚିଛି । ୟେମେନରେ ହୁତି ବିଦ୍ରୋହୀମାନେ ମୋଚା ବନ୍ଦର ଓ ପେରିମ୍ ଦ୍ୱୀପ କବଜା କରିବା ସହ ସାଉଦିର ସୀମାବର୍ତ୍ତୀ ଅଞ୍ଚଳ ଓ ରିୟାଦ ଉପରେ ଆକ୍ରମଣ ଜାରି ରଖିଛନ୍ତି। ତଥାପି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବକୁ ସିଧାସଳଖ ସାମରିକ ସହାୟତା ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପଶ୍ଚିମ ଏସିଆର ଏହି ଉତ୍ତେଜନା ଭାରତ ପାଇଁ ମଧ୍ୟ ବଡ଼ ଚିନ୍ତାର କାରଣ ପାଲଟିଛି । ଫେବ୍ରୁଆରି ୨୬ ରେ ଭାରତର ଅଶୋଧିତ ତୈଳ ବାସ୍କେଟ୍ ମୂଲ୍ୟ ବ୍ୟାରେଲ ପିଛା ୭୦.୬୧ ଡଲାର ଥିବାବେଳେ, ଏବେ ତାହା ୧୨୩.୬୭ ଡଲାରରେ ପହଞ୍ଚିଛି । ଅନ୍ୟପଟେ ସ୍ପଟ୍ LNG ମୂଲ୍ୟ ପ୍ରାୟ ୧୫୦% ବୃଦ୍ଧି ପାଇଛି । କତାରରୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଭାରତକୁ ଚଢ଼ା ଦରରେ LNG କ୍ରୟ କରିବାକୁ ପଡ଼ୁଛି । ଦୀର୍ଘଦିନ ଧରି ଏହି ସ୍ଥିତି ଲାଗି ରହିଲେ ଭାରତର ଆମଦାନୀ ବିଲ୍, ପରିବହନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ବହୁ ପରିମାଣରେ ବୃଦ୍ଧି ପାଇବାର ଭୟ ରହିଛି । ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର କେତେ ବୃଦ୍ଧି ପାଉଛି ଏବଂ ଭାରତ ସରକାର ଏହାର ମୁକାବିଲା କରିବା ପାଇଁ କେଉଁ ପଦକ୍ଷେପ ନେଉଛନ୍ତି , ତାହା ଦେଖିବାକୁ ବାକି ରହିଲା ।