ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ନାଁରେ ସ୍ଥାନୀୟ ଏସ୍ଡିଜେଏମ୍ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି। ୨୦୨୪ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ଦିଆଯାଇଥିବା ଅଭିଯୋଗକୁ ନେଇ ଏହି ମାମଲା ହୋଇଥିଲା।
/odishatv/media/media_files/2026/09/27/boudh-mla-saroj-kumar-pradhan-2026-09-27-14-00-41.jpeg)
ବୌଦ୍ଧର ପୂର୍ବତନ ବିଧାୟକ ତଥା ଶ୍ରୀ ପ୍ରଧାନଙ୍କ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ କୁମାର ଅମାତ ଏନେଇ ଏସ୍ଡିଜେଏମ୍ ଅଦାଲତରେ ମାମଲା ଦାୟର କରିଥିଲେ। ଅଦାଲତ ମାମଲାଟିକୁ ବିଚାର ପାଇଁ ଗ୍ରହଣ କରି ୧ ସିସି ୦୨/୨୦୨୫ ଭାବେ ପଞ୍ଜୀକରଣ କରିଥିଲେ। ଏହାପରେ ବିଧାୟକ ପ୍ରଧାନଙ୍କୁ ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଜାରି ହୋଇଥିଲା।

ଅଦାଲତଙ୍କ ଏହି ଆଦେଶ ବିରୋଧରେ ବିଧାୟକ ପ୍ରଧାନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ୧୨ ସପ୍ତାହର ମହଲତ ଦେଇଥିଲେ। ତେବେ ଏହି ସମୟସୀମା ଶେଷ ହେବା ପରେ ମଧ୍ୟ ସେ ଏସ୍ଡିଜେଏମ୍ ଅଦାଲତରେ ହାଜର ହୋଇନଥିବା ଅଭିଯୋଗ ରହିଛି। ବାରମ୍ବାର ସମୟ ନେବା ପରେ ମଧ୍ୟ ହାଜର ନ ହେବାରୁ ଅଦାଲତ ଗତ ୨୫ ତାରିଖରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ଘଟଣାକୁ ନେଇ ବୌଦ୍ଧ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସାହୁ ମାମଲା ପରିଚାଳନା କରୁଛନ୍ତି।