ଲୋକେ ଭୂଲିଗଲେ କଟକଣା

ବିନିକା(ରିପୋର୍ଟର୍ସ ଟୁଡେ): କୋରୋନାର ଦ୍ୱିତୀୟ ଲହରର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନ ସମୟରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅସୁବିଧା ନ ହେଉ ସେଥିପାଇଁ ସକାଳ ସମୟରେ ପରିବାଦେକାନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଦୋକାନକୁ ଅନୁମତି ମିଳିଛି । କିନ୍ତୁ ଏହି ଦେକାନ ମାନଙ୍କରେ କୋରୋନା କଟକଣାକୁ ମାନିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମକୁ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । କିନ୍ତୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏହି କଟକଣାକୁ ଭୂଲି ସ୍ଥାନୀୟ ଲୋକେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି ।
ପୋଲିସ ଏଠାକାର କିଛି ପ୍ରମୁଖ ଛକରେ ହାଲକା ଭାବରେ ମାସ୍କ ଏବଂ ହେଲମେଟ ଚେକିଂ କରୁଥିବା ବେଳେ ଦୈନିକ ବଜାର ଉପରେ ପଡ଼ିନି ପ୍ରଶାସନର ନଜର । ଏଠାକାର ଲୋକେ ବେଲଗାମ ଭଳି ବୁଲୁଥିବା ବେଳେ ସବୁଦେଖି ବି ଏଠି ଚୁପ ବସିଛନ୍ତି ଏନଏସି ଏବଂ ପୋଲିସ ବିଭାଗ । ଆଜି ଏହି ବଜାରରେ କୋରୋନାର ମୁଖ୍ୟ ସଚେତନର ମନ୍ତ୍ର ମାସ୍କ ଏବଂ ସାମାଜିକ ସହିତ ଲୋକମାନଙ୍କର କୈାଣସି ସମ୍ବନ୍ଧ ନଥିବା ମନେ ହେଉଥିଲା । ଦିନକୁ ଦିନ ରାଜ୍ୟରେ କୋରୋନା ଏହାର ଭୟାନକ ରୂପ ଦେଖାଉଥିବା ବେଳେ ବିଭିନ୍ନ ପ୍ରକାର ବାହାନା କରି ଏଠାକାର ଲୋକ ବେଧଡ଼କ ଗହଳି ଜମାଉଛନ୍ତି । ବିନିକା ଅଞ୍ଚଳର ଲୋକଙ୍କ ବିକୃତ ମାନସିକତା ଏବଂ ପ୍ରଶାସନର ଖାମଖିଆଲି ନୀତି ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଏଠି ବାଟବଣା ହୋଇଛି ।