ଲଜ୍ଜାରେ ପୋଡ଼ି ଗଲା ପାକ୍ ମନ୍ତ୍ରୀ ମୁହଁ । ତାଜମହଲ ଓ ନିଜାମୁଦ୍ଦିନ ଦରଘା ବୁଲିବାକୁ ଚାହୁଁଥିଲେ ପାକ୍ ମନ୍ତ୍ରୀ, ଭାରତ ସରକାର ଦେଲେନି ଅନୁମତି । ଭାରତ ଆସିଲେ, କିନ୍ତୁ ମନଇଚ୍ଛା ବୁଲିପାରିବେନି! ଦିଲ୍ଲୀରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବାକୁ ଭାରତ ଆସିଥିବା ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ୍ ମଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଭାରତରେ ରହିବା ସମୟରେ ସେ ତାଜମହଲ ଏବଂ ଦିଲ୍ଲୀର ନିଜାମୁଦ୍ଦିନ ଦରଘା ବୁଲିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ଏହି ଅନୁରୋଧକୁ ଭାରତ ସରକାର ଅନୁମତି ଦେଇନଥିଲେ ।
ସୂତ୍ର ଅନୁସାରେ, ପାକିସ୍ତାନ ମନ୍ତ୍ରୀଙ୍କୁ କେବଳ ଏସସିଓ କାର୍ୟ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିଛି। ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବା କିମ୍ବା ଅତିରିକ୍ତ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଇନାହିଁ। ତେଣୁ ଆଗ୍ରାର ତାଜମହଲ ହେଉ କିମ୍ବା ଦିଲ୍ଲୀର ନିଜାମୁଦ୍ଦିନ ଦରଘା, ଏହି ଦୁଇଟି ସ୍ଥାନ ବୁଲିବାର ଯୋଜନା ଅଧାରେ ରହିଯାଇଛି। ନଭେମ୍ବର ୨୦ରୁ ୨୨ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀର ଐତିହାସିକ ପୁରାଣା କିଲ୍ଲାରେ ପ୍ରଥମ ଏସସିଓ ସଭ୍ୟତା ଆଲୋଚନା ମଞ୍ଚ ଆୟୋଜିତ ହେଉଛି। ଏଥିରେ ଯୋଗଦେବାକୁ ମୁସାଦିକ୍ ମଲିକ ଭାରତ ଆସିଛନ୍ତି।