ପାକିସ୍ତାନ ଦଳରେ ବୋତଲ ଠିପିରେ ହେଉଥିଲା ବଲ୍ ଟାମ୍ପରିଂ !

କ୍ରିକେଟରେ ବଲ୍ ଟାମ୍ପରିଂ ବିବାଦ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଫେରିଛି । ୨୦୧୮ର ଅଷ୍ଟ୍ରେଲିଆ ସ୍ୟାଣ୍ଡପେପର ଘଟଣାକୁ ନେଇ ନୂଆ ଖୁଲାସା ହେଉଥିବା ବେଳେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନିଜ ଖେଳ ଜୀବନର ଏକ ଗୁପ୍ତ କଥା ସାମ୍ନାକୁ ଆଣିଛନ୍ତି । ତାଙ୍କ ଦାବି, ପାକିସ୍ତାନ ଦଳରେ ମଧ୍ୟ ବଲ୍‌ର ଗତି ଓ ସ୍ୱିଙ୍ଗ୍‌କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିଲା ।

ଅଖତରଙ୍କ ଏହି ବୟାନ ପୁଣି ଥରେ କ୍ରିକେଟରେ ବଲ୍ ଟାମ୍ପରିଂକୁ ନେଇ ବିବାଦକୁ ତେଜ କରିଛି । ସ୍ୟାଣ୍ଡପେପର ବ୍ୟବହାର ବଦଳରେ ବୋତଲର ଠିପି ଦ୍ୱାରା ବଲ୍‌ରେ ଛେଡ଼ାଛେଡ଼ି କରାଯାଉଥିବା ସେ କହିଛନ୍ତି । ଏଥିସହ ବଲ୍ ବଦଳାଇବା ଭଳି ଅନ୍ୟ ଉପାୟ ମଧ୍ୟ ଆପଣାଯାଉଥିଲା ବୋଲି ଅଖତର ଖୁଲାସା କରିଛନ୍ତି ।

୨୦୧୮ର କେପଟାଉନ୍ ସ୍ୟାଣ୍ଡପେପର ବିବାଦ ପରେ ଏହି ପ୍ରସଙ୍ଗକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଉସମାନ ଖ୍ୱାଜାଙ୍କ ଆତ୍ମଜୀବନୀ ‘ସବ୍ର’ ଏବଂ କ୍ୟାମେରନ ବାନକ୍ରଫ୍ଟଙ୍କ ସଦ୍ୟ ବୟାନ ଏହି ବିବାଦକୁ ପୁଣି ଉଜାଗର କରିଛି ।

ୱିଜଡେନ୍‌କୁ ପ୍ରତିକ୍ରିୟା ଦେଇ ଅଖତର କହିଛନ୍ତି, ଏହି ପୁରୁଣା ଘଟଣାକୁ ନେଇ ଆଉ ଅଧିକ ଚର୍ଚ୍ଚା କରିବା ଉଚିତ ନୁହେଁ । ତାଙ୍କ ମତରେ, ଇଂଲଣ୍ଡରେ ଖେଳିବା ସମୟରେ ସ୍ୟାଣ୍ଡପେପର ନୁହେଁ, ବରଂ ବୋତଲର ଠିପି ବ୍ୟବହାର କରାଯାଉଥିଲା । ରିଭର୍ସ ସୁଇଙ୍ଗ୍ ହାସଲ କରିବା ଏବଂ ମ୍ୟାଚ୍ ଜିତିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଉଥିଲା ବୋଲି ସେ କ ସ୍ୱୀକାର କରିଛନ୍ତି ।

ବଲ୍ ଟାମ୍ପରିଂ କେବଳ ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ଜାଣତରେ ହେଉନଥିଲା, ଦଳର ଅନେକ ସଦସ୍ୟ ଏ ସମ୍ପର୍କରେ ଅବଗତ ଥିବା ଅଖତର କହିଛନ୍ତି । ଖ୍ୱାଜା ସତ୍ୟକୁ ସାମ୍ନାକୁ ଆଣିଥିବାରୁ ସେ ଠିକ୍ କରିଛନ୍ତି, କିନ୍ତୁ ଏହା ପ୍ରକାଶ କରିବାର ସମୟ ଆଉ ଟିକିଏ ଭଲ ହୋଇପାରିଥାନ୍ତା ବୋଲି ଅଖତର ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନ୍ ଟେଷ୍ଟରେ କ୍ୟାମେରନ ବାନକ୍ରଫ୍ଟ ସ୍ୟାଣ୍ଡପେପର ବ୍ୟବହାର କରି ବଲ୍‌ରେ ଛେଡ଼ାଛେଡ଼ି କରୁଥିବା କ୍ୟାମେରାରେ ଧରାପଡ଼ିଥିଲେ । ଏହି ଘଟଣାର ତଦନ୍ତ ପରେ ତତ୍କାଳୀନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର ଏବଂ ବାନକ୍ରଫ୍ଟଙ୍କୁ ଦଣ୍ଡ ମିଳିଥିଲା ।

ଏବେ ଉସମାନ ଖ୍ୱାଜା ନିଜ ପୁସ୍ତକରେ ଡ୍ରେସିଂ ରୁମ୍‌ର ଅନେକ ସଦସ୍ୟ ଏହି ଯୋଜନା ବିଷୟରେ ଜାଣିଥିବା ଉଲ୍ଲେଖ କରିଛନ୍ତି । ସେହିପରି ବାନକ୍ରଫ୍ଟ ପ୍ରାୟ ୪ ହଜାର ଶବ୍ଦର ବୟାନରେ ଦଳ ଓ କୋଚିଂ ଷ୍ଟାଫ୍‌ଙ୍କ ଜାଣତରେ ଏହା ହୋଇଥିବା ଦାବି କରିଛନ୍ତି । ତେବେ ପ୍ୟାଟ୍ କମିନ୍ସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣର ବାନକ୍ରଫ୍ଟଙ୍କ ପକ୍ଷ ନେଇଛନ୍ତି । ଏହି ବିବାଦରେ ସମ୍ପୃକ୍ତ ସଦସ୍ୟଙ୍କ ମତ ଶୁଣିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ସ୍ୱତନ୍ତ୍ର ଫୋରମ୍ ଗଠନ କରିବାକୁ ମଧ୍ୟ ଘୋଷଣା କରିଛି ।