ବାତ୍ୟା ସମୟରେ ଆଚରଣଗତ ତ୍ରୁଟି ଏବଂ ବିନା ଅନୁମତିରେ ଅନୁପସ୍ଥିତ ରହିବା ଅଭିଯୋଗରେ ୩ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର: ଏକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତିନି ଜଣ ସରକାରୀ ଡାକ୍ତରଙ୍କୁ ତୁରନ୍ତ ନିଲମ୍ବିତ କରିଛି। ସେମାନଙ୍କ ବିରୋଧରେ ସେବା ଆଚରଣ ବିଧି ଉଲ୍ଲଂଘନ ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଅଭିଯୋଗ ରହିଛି।

ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ମେଡିକାଲ୍ ଅଫିସର ଡାକ୍ତର ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଗଜଲାବାଦି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ର ମେଡିକାଲ୍ ଅଫିସର ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟ (SDH)ର ମେଡିକାଲ୍ ଅଫିସର ଡାକ୍ତର ସୁପ୍ରକାଶ ଦାସ।

ବିଭାଗ ଦ୍ୱାରା ଜାରି କରାଯାଇଥିବା ପୃଥକ ଆଦେଶ ଅନୁଯାୟୀ, ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଶ୍ରେଣୀକରଣ, ନିୟନ୍ତ୍ରଣ ଏବଂ ଅପିଲ୍) ନିୟମାବଳୀ, ୧୯୬୨’ର ନିୟମ-୧୨ର ଉପ-ନିୟମ (୧)ର ଧାରା (କ) ଅନୁଯାୟୀ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଅଧିକାରୀମାନଙ୍କ ବିରୋଧରେ ପ୍ରସ୍ତାବିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲୁ ରହିବା ପର୍ଯ୍ୟନ୍ତ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ।

ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ବିଭାଗ ପକ୍ଷରୁ ଡାକ୍ତର ପ୍ରଭାକର ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ସେ ସୋସିଆଲ ମିଡିଆରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନୁମୋଦନହୀନ ମନ୍ତବ୍ୟ ଦେଇଥିଲେ।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଡାକ୍ତର—ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଡାକ୍ତର ସୁପ୍ରକାଶ ଦାସ—’ଅର୍ଣ୍ଣବ’ (Arnab) ବାତ୍ୟା ସମୟରେ ବିନା ଅନୁମତିରେ ଛୁଟି ନେଇଥିବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ଏହି ଉଭୟ ଚିକିତ୍ସା ଅଧିକାରୀ ନିଜ କର୍ତ୍ତବ୍ୟ ସ୍ଥାନରେ ଅନୁପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ନିଲମ୍ବନ ଅବଧି ମଧ୍ୟରେ ଡାକ୍ତର ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ନିର୍ଦ୍ଧାରିତ କରାଯାଇଛି। ସେହିପରି, ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଡାକ୍ତର ସୁପ୍ରକାଶ ଦାସଙ୍କ ପାଇଁ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲକୁ ମୁଖ୍ୟାଳୟ ଭାବେ ଧାର୍ଯ୍ୟ କରାଯାଇଛି।

ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଲମ୍ବିତ ଡାକ୍ତରମାନେ ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏହି ସମୟ ମଧ୍ୟରେ ସେମାନେ ‘ଓଡ଼ିଶା ସର୍ଭିସ୍ କୋଡ୍’ (Odisha Service Code) ର ୯୦ ନମ୍ବର ନିୟମ ଅନୁଯାୟୀ ‘ଜୀବିକା ନିର୍ବାହ ଭତ୍ତା’ (subsistence allowance) ପାଇବାକୁ ହକଦାର ହେବେ।