ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ ଚୟନକୁ ନେଇ ଏବେ ବିବାଦ ତେଜ ହୋଇଛି । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ନମିଳିବା ପରେ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି । ଏପରିକି ସିରାଜଙ୍କୁ ବାଦ୍ ଦେବା ପଛରେ ଧର୍ମଗତ ଭେଦଭାବ ରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମସୁଦ । ତାଙ୍କ ଏହି ମନ୍ତବ୍ୟ କ୍ରିକେଟ୍ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।
ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଇମ୍ରାନ ମସୁଦ କହିଛନ୍ତି, ସିରାଜ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ଦଳରେ ସୁଯୋଗ ମିଳିନାହିଁ । ତାଙ୍କ ନାଁ ସିରାଜ୍, ଏହା କ’ଣ କମ୍ କି ବୋଲି ପ୍ରଶ୍ନ କରି ଏହି ନିଷ୍ପତ୍ତିକୁ ଭେଦଭାବ ସହ ଯୋଡ଼ିଛନ୍ତି । ତେବେ ଏହା ତାଙ୍କର ବ୍ୟକ୍ତିଗତ ଅଭିଯୋଗ, ଚୟନକର୍ତ୍ତାଙ୍କ ପକ୍ଷରୁ ଏଭଳି କୌଣସି କାରଣ ଆଧିକାରିକ ଭାବେ କୁହାଯାଇନାହିଁ ।
ସିରାଜଙ୍କ ପ୍ରଦର୍ଶନକୁ ଦେଖିଲେ ତାଙ୍କୁ ବାଦ୍ ଦେବା ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଚକ୍ରରେ ସେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର । ୧୧ଟି ମ୍ୟାଚ୍ର ୨୧ଟି ଇନିଂସରେ ୪୩ଟି ୱିକେଟ୍ ନେଇ ନିଜ ଦକ୍ଷତା ପ୍ରମାଣ କରିଛନ୍ତି । ଗତବର୍ଷ ଇଂଲଣ୍ଡ ଗସ୍ତରେ ମଧ୍ୟ ଭାରତ ପକ୍ଷରୁ ସମସ୍ତ ୫ଟି ଟେଷ୍ଟ ଖେଳିଥିବା ଏକମାତ୍ର ଦ୍ରୁତ ବୋଲର ଥିଲେ ସିରାଜ ।
ସିରାଜଙ୍କୁ ଏକାଦଶରୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ କେବଳ ରାଜନୈତିକ ମହଲ ନୁହେଁ, କ୍ରିକେଟ୍ର ବହୁ ପୂର୍ବତନ ଖେଳାଳି ମଧ୍ୟ ନିଜ ମତ ରଖିଛନ୍ତି । ୱାସିମ ଜାଫର, ଆକାଶ ଚୋପ୍ରା, ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଏହି ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ରବି ଶାସ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ ସିରାଜଙ୍କ ଅଭିଜ୍ଞତା, ଆକ୍ରମଣାତ୍ମକ ବୋଲିଂ ଏବଂ ଘଣ୍ଟାକୁ ୧୪୦ କିଲୋମିଟର ବେଗରେ ବଲ୍ ପକାଇବାର କ୍ଷମତାକୁ ଉଲ୍ଲେଖ କରି ତାଙ୍କୁ ବାଦ୍ ଦେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ସେପଟେ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ୍ ମଧ୍ୟ ସିରାଜଙ୍କୁ ଦଳରେ ସ୍ଥାନ ନମିଳିବା ନିଷ୍ପତ୍ତିକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିରାଜ ଆକ୍ରମଣାତ୍ମକ ବୋଲର ହୋଇଥିବାରୁ ରନ୍ ଦେଇପାରନ୍ତି, କିନ୍ତୁ ତାଙ୍କ ବୋଲିଂରୁ ୱିକେଟ୍ ମିଳିବାର ସମ୍ଭାବନା ମଧ୍ୟ ଅଧିକ ବୋଲି ସେ ମତ ରଖିଛନ୍ତି । ଏଭଳି ସ୍ଥିତିରେ ସିରାଜଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ ବିବାଦ ଆହୁରି ଘନୀଭୂତ ହୋଇଛି ।