ସୋସିଆଲ ମିଡିଆରେ ହୋଇଯାଇଥିଲା ପ୍ରେମ । ଭିଡିଓ ଦେଖି ମନେ ମନେ ପାଉଥିଲେ ଭଲ । ହେଲେ ଯୁବତୀଙ୍କ ବାହାଘର ଠିକ୍ ହୋଇଯିବା ଘରେ ପହଞ୍ଚିଲେ ଉକ୍ତ ଯୁବକ । ତା’ପରେ ପରିଣାମ ହେଲା ଭୟଙ୍କର। ଏଭଳି ଘଟଣା ଘଟିଛି ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ।
ବିବାହ କରିବା ଜିଦ୍ରେ ଜଣେ ମହିଳା ଇନ୍ଫ୍ଲୁଏନ୍ସରଙ୍କ ଘରେ ଜବରଦସ୍ତି ପଶିଗଲେ ଯୁବକ। ଏହାକୁ ନେଇ ଉତ୍ତ୍ୟକ୍ତ ପରିବାର ଲୋକେ ଓ ପଡ଼ୋଶୀ ତାଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେ ଏହି ଘଟଣାରେ ଇନ୍ଫ୍ଲୁଏନ୍ସରଙ୍କ ବାପାଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।
ଇନ୍ଫ୍ଲୁଏନ୍ସର ନେହା ବିଷ୍ଟଙ୍କ ସୋସିଆଲ ମିଡିଆରେ ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ନିକଟରେ ନିଜର ନିର୍ବନ୍ଧ ଏବଂ ଆଗାମୀ ବିବାହକୁ ନେଇ ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍ରେ ଅନେକ ଭିଡିଓ ପୋଷ୍ଟ କରୁଥିଲେ।
ପୋଲିସ ସୂଚନା ଅନୁସାରେ, ଅଭିନବ ନାମକ ଏହି ଯୁବକ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳର ବାସିନ୍ଦା। ସେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ନଭେମ୍ବର ୭ ତାରିଖରେ ସେ ଦିଲ୍ଲୀରେ ଥିବା ନେହାଙ୍କ ଘରେ ଜବରଦସ୍ତି ପଶିଯାଇଥିଲେ। ସେତେବେଳେ ନେହା ଘରେ ଥିଲେ। ଅଭିନବ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। ଏହାକୁ ନେଇ ନେହା ବିଷ୍ଟଙ୍କ ପରିବାର ଲୋକଙ୍କ ସହ ବଚସା ହୋଇଥିଲା । ପରେ ମାରପିଟ ହୋଇଥିଲା । ପରେ ଯୁବକ ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।