ଭୁବନେଶ୍ୱର: ‘ଅକଭାନ’ (Akvan) ବାତ୍ୟାର ପ୍ରଭାବରେ ଓଡ଼ିଶା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହା ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଦିନ କହିଛନ୍ତି।
ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୫୩ଟି ବ୍ଲକ୍ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ଚିହ୍ନଟ କରାଯାଇଥିଲା; ଏଥିମଧ୍ୟରେ ୨୦ଟି ଜିଲ୍ଲାର ୬,୨୦୧ଟି ସମ୍ବେଦନଶୀଳ ସ୍ଥାନ ଅନ୍ତର୍ଭୁକ୍ତ, ଯେଉଁଠାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବାର ଆଶଙ୍କା ରହିଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ମୋଟ ୩.୭୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ରାଜ୍ୟବ୍ୟାପୀ ୩,୦୨୮ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି, ଯେଉଁଠାରେ ୧,୪୫୨ଟି ଶିଶୁଙ୍କ ଜନ୍ମ ହୋଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ଅକ୍ଵାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି। #CycloneAkvan https://t.co/9gIZ7aiqcs
— I & PR Department, Odisha (@IPR_Odisha) November 20, 2026
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର କୌଣସି ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା କୌଣସି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଖବର ମିଳିନାହିଁ। ଯଦିଓ କିଛି ସ୍ଥାନରେ ଭୂସ୍ଖଳନର ଘଟଣା ଘଟିଥିଲା, ତଥାପି ଅଗ୍ନିଶମ ସେବା, ଏନଡିଆରଏଫ୍ (NDRF) ଏବଂ ଓଡ୍ରାଫ୍ (ODRAF) ଦଳ ତୁରନ୍ତ ପଦକ୍ଷେପ ନେଇ ସେଗୁଡ଼ିକର ସମାଧାନ କରିଛନ୍ତି। ପ୍ରାୟ ୧୫ ରୁ ୨୦ଟି ସ୍ଥାନରେ ଗଛ କିମ୍ବା ଡାଳ ପଡ଼ିଥିବା ଖବର ମିଳିବା ପରେ, ସେଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଇଛି, ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଅବ୍ୟାହତ ରହିଛି।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବାତ୍ୟା ଚାଲିଯିବା ପରେ କ୍ଷୟକ୍ଷତିର ଏକ ବିସ୍ତୃତ ଆକଳନ କରାଯିବ ଏବଂ ‘ଅର୍ଣ୍ଣବ’ ବାତ୍ୟା ସମୟରେ ଯେଉଁ ଆଧାରରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା, ସେହି ସମାନ ଆଧାରରେ ଏଥର ମଧ୍ୟ କ୍ଷତିପୂରଣ ଦିଆଯିବ। ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି।
ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରି, ପୂଜାରୀ ଆଶା ପ୍ରକାଶ କରିଛନ୍ତି ଯେ, ସ୍ୱାଭାବିକ ଅବସ୍ଥା ଫେରିବା ସହିତ ବାତ୍ୟାର ପ୍ରଭାବ ମଧ୍ୟ ଧୀରେ ଧୀରେ କମିଯିବ।