ବାରବାଟୀ ମହାଲଢ଼େଇ, ଆରମ୍ଭ ହେଲା ଟିକେଟ୍ ବୁକିଂ, ଅନଲାଇନରେ କରନ୍ତୁ …

କଟକ: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ । ଆଜି ଠାରୁ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରେସ୍‌ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଅନଲାଇନ୍ ରେ କେବଳ ଦୁଇ ହଜାର ଟିକେଟ୍ ବିକ୍ରି କରାଯିବ। ଏଥର ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖି ପାରିବେ। ୨୩ ହଜାର ଟିକେଟ୍ ବିକ୍ରି ହେବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ହୋଇଛି। ୧ ଓ ୩ ଗ୍ୟାଲେରୀ ୧୧ଶହ ଟଙ୍କା, ୨ ଓ ୪ ଗ୍ୟାଲେରୀ ଦାମ୍‌ ୯ ଶହ ଟଙ୍କା । ୫ ନଂ ଗ୍ୟାଲେରୀ ୧୨ ଶହ ଓ ୭ ନଂ ଗ୍ୟାଲେରୀ ଟିକେଟ୍‌ ୭ ଶହ ଟଙ୍କା। ସ୍ପେଶାଲ୍‌ ଏନ୍‌କ୍ଲୋଜର ୬ ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା ।

ନ୍ୟୁ ପ୍ୟାଭିଲିଅନ୍‌ ୧୦ ହଜର ଓ କର୍ପୋରେଟ୍‌ ବକ୍ସ ୨୦ ହଜାର ଟଙ୍କା ରହିଛି। ୫ ତାରିଖରୁ ଅଫଲାଇନ୍ ରେ ଟିକେଟ୍ ବିକ୍ରି ହେବା ନେଇ ସୂଚନା ରହିଛି। ଅଫଲାଇନ୍ ରେ କେବଳ ଦୁଇ ହଜାର ଟିକେଟ୍ ବିକ୍ରି କରାଯିବ। ଅଫଲାଇନ୍‌ରେ ଟିକେଟ୍‌ କାଉଣ୍ଟର​‌ରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଟିକେଟ୍‌ କିଣିବା ପାଇଁ ରାତିରୁ ଲାଇନ ନ ଲଗାଇବାକୁ ଅନୁରୋଧ କରାଯାଇଛି। ଗତ ଥର ମ୍ୟାଚ ବେଳେ ଟିକେଟ୍ ବିକ୍ରି ବେଳେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା। କାଉଣ୍ଟରରେ ପ୍ରବଳ ଭିଡ଼ ହେବା ସହ ଠେଲାପେଲା ସ୍ଥିତି ଉପୁଜିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ ହୋଇଥିବା ଓସିଏ ସମ୍ପାଦକ କହିଛନ୍ତି।